ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା

Key Points
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି
ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
ରାଜନହରରେ ନବଦମ୍ପତ୍ତି ପହଞ୍ଚିବା ପରେ ସେଠାରେ ଗଜପତି ବନ୍ଦାପନା କରିବେ
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା। ମଧ୍ୟାହ୍ନଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ।
ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ ନବଦମ୍ପତ୍ତି ପହଂଚିବା ପରେ ସେଠାରେ ଗଜପତି ବନ୍ଦାପନା କରିବେ। ଏହି ସମୟରେ ଗଜପତିଙ୍କ ପ୍ରତିନିଧି, ଛତିଷାନିଯୋଗ ମହାନାୟକ, ରାଜଗୁରୁ , ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନିତୀ ସଂପାଦନ କରିବେ।
ଶ୍ରୀନଅରରେ ବନ୍ଦାପନା ସରିବା ପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବେ ଓ ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ ହେବ। ସେଠାରେ ନିତିକ୍ରାନ୍ତି ସରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିବେ। ମହାପ୍ରଭୁଙ୍କ ଏହି ଗୁଆଲି ଯାତ୍ରା ସମୟରେ ଶହଶହ ଭକ୍ତମାନେ ପଟୁଆରରେ ସାମିଲ୍ ହେଵେ।
ଅନ୍ୟପଟେ ଆସନ୍ତା 9 ତାରିଖରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ନୀତି ସମ୍ପାଦିତ କରି ସ୍ନାନଯାତ୍ରା ପହଣ୍ଡି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବେ।