Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ

Ritu Das
Browse all articles by Ritu Das
·1 year ago·1 min read
ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ତେବେ ସନ୍ଧ୍ୟା ଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ। ପୌରାଣିକ କଥାବସ୍ତୁ ଅନୁଯାୟୀ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତର ଡାକ ଶୁଣି କୁମ୍ଭୀର କବଳରୁ ଗଜରାଜକୁ ଠାକୁର ଉଦ୍ଧାର କରିଥିଲେ। ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜୋଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି।


ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ଗରୁଡ଼ ଉପରେ ବସିବା ଭଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥାନ୍ତି ମହାପ୍ରଭୁ। ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢି ଧରି ମଧ୍ୟ ଦଣ୍ଡାୟମାନ ରହିଥାନ୍ତି। ସେହିପରି ବଳଭଦ୍ର ଚତୁହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ଓ ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ ଧରି ବିରାଜମାନ କରିଥାନ୍ତି। ତେବେ ଶ୍ରୀଜୀଉଙ୍କ ଏହି ବେଶ ବଡ଼ ମନଲୋଭା ହୋଇଥିବା ବେଳେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, on the occasion of the holy Magha Purnima, Shrijiu's gajodharana vesha is celebrated. | Argus News