ଆଜି ଦଶମୀ ତିଥିରେ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ

Key Points
ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଓହ୍ଲାଉଛି ତାତି
ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ
ଆକ୍ସିସ ବ୍ୟାଙ୍କ୍ ପକ୍ଷରୁ ଆରମ୍ଭ ହେଲା ଇ-ହୁଣ୍ଡି ବ୍ୟବସ୍ଥା
ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଶେଷ ସମନ୍ଵୟ ବୈଠକ
ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନଠାରୁ ତିନିଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ। ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ରାଜବୈଦ୍ୟମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ। ଆସନ୍ତାକାଲି ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ ସୁସ୍ଥ ହେବେ ଶ୍ରୀଜୀଉ।
ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ରହିଥିବା ବେଳେ ଜୋର୍ ଧରିଛି ପ୍ରସ୍ତୁତି। ଏବେଠାରୁ ଝଲସୁଛି ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ରହିବା ସ୍ଥାନକୁ ଝୋଟି ଚିତ୍ରିତ କରାଯାଉଛି। ସେପଟେ ପ୍ରଥମକରି ଇ-ହୁଣ୍ଡିର ବ୍ୟବସ୍ଥା କରାଯାଉଥିବା ବେଳେ ଆକ୍ସିସ ବ୍ୟାଙ୍କ୍ ତାର ପ୍ରଥମ ଡେମୋ ପ୍ରଦର୍ଶନ କରିଛି।
ଅନ୍ୟପଟରେ ଘୋଷଯାତ୍ରାକୁ ଆଉ ୭ ଦିନ ଥିବାବେଳେ ରଥ ରଥ ପାଇଁ ଆନୁସଙ୍ଗିକ କାଠ କାର୍ଯ୍ୟ ଶେଷ ହୋଇଛି। କେବଳ ରଥର ଉପରି ଭାଗର ଅଂଶଗୁଡ଼ିକ ଯୋଡାହେବା କାର୍ଯ୍ୟ ବାକି ରହିଛି। ତିନି ରଥର ବେଦୀ ନିର୍ମାଣ, ପ୍ରଭା ନିର୍ମାଣ ଶେଷ ହୋଇଥିବା ବେଳେ ଦୁଆର ବେଢ଼ା କାର୍ଯ୍ୟ ଜାରି ରହିଛି। ରତଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆସନ୍ତା ୨୨ ତାରିଖରେ ଶେଷ ସମନ୍ଵୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।