ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ, ୫ ଘଣ୍ଟା ଦର୍ଶନ ବନ୍ଦ

Key Points
ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ପାଇଁ ଦର୍ଶନ ବନ୍ଦ
ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦର୍ଶନ ବନ୍ଦ
ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଯାହାକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ।ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ।ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ ।
ତେଣୁ ଏହି ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ବିଧି ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀ ରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣ ରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକ ମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ।