Wild Animal Attack / ଘର ଅଗଣାରୁ ୨ ବର୍ଷର ଶିଶୁକନ୍ୟାକୁ ଉଠାଇନେଲା ବନ୍ୟଜନ୍ତୁ

Key Points
ଜଙ୍ଗଲରେ ଚାଲିଛି ଜୋରଦାର ଖୋଜାଖୋଜି
ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ଅନ୍ତର୍ଗତ ଚିଡ଼ିଆପାରା ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଘର ଅଗଣାରେ ଖେଳୁଥିବା ମାତ୍ର ଦୁଇ ବର୍ଷର ଶିଶୁକନ୍ୟା ବେଦିକାକୁ ଏକ ବନ୍ୟଜନ୍ତୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଶିଶୁର କୌଣସି ପତ୍ତା ମିଳିନାହିଁ । ଫଳରେ ପରିବାର ଲୋକଙ୍କ ସମେତ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉଦ୍ବେଗର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଥାଉ କି, ଚିଡ଼ିଆପାରା ଗ୍ରାମର ବିଷ୍ଣୁ ଗଣ୍ଡ ଓ ତାଙ୍କ ପତ୍ନୀ ସୁମିତ୍ରା ଗଣ୍ଡଙ୍କ ଦୁଇ ବର୍ଷର ଝିଅ ବେଦିକା ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘର ଅଗଣାରେ ଥିଲା । ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବନ୍ୟଜନ୍ତୁ ଆସି ଶିଶୁଟିକୁ ଉଠାଇ ନେଇଥିବା ପରିବାର ପକ୍ଷରୁ କୁହାଯାଇଛି । ଜନ୍ତୁଟି ଶିଶୁକୁ ବାଉଁଶ ବୁଦା ନିକଟ ଦେଇ ଜଙ୍ଗଲ ଆଡ଼କୁ ନେଇଯାଉଥିବା ଦେଖି ପରିବାର ଲୋକେ ତୁରନ୍ତ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ବନ କର୍ମଚାରୀ ଓ ଗ୍ରାମବାସୀ ରାତିରେ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଘନ ଅନ୍ଧାର ଯୋଗୁଁ ପ୍ରଥମ ପର୍ଯ୍ୟାୟରେ କୌଣସି ସୁରାକ ମିଳିନଥିଲା । କେତେକ ଗ୍ରାମବାସୀ ଏହା କଲରାପତରିଆ ବାଘ ହୋଇଥାଇପାରେ ବୋଲି ସନ୍ଦେହ କରୁଥିବା ବେଳେ ବନ୍ୟଜନ୍ତୁର ପ୍ରକୃତ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବର୍ତ୍ତମାନ ରାଇଘର ପୋଲିସ, ବନ ବିଭାଗର ତିନୋଟି ଦଳ ଏବଂ ଶତାଧିକ ଗ୍ରାମବାସୀ ମିଳିତ ଭାବେ ତଲାସୀ ଅଭିଯାନ ଜାରି ରଖିଛନ୍ତି । କୋରାପୁଟରୁ ସନ୍ଧାନୀ କୁକୁର ଆଣିବାକୁ ବ୍ୟବସ୍ଥା ହୋଇଛି । ସେହିପରି ଛତିଶଗଡ଼ର ଗରିଆବନ୍ଧ ବନ ବିଭାଗ ଡ୍ରୋନ୍, ସନ୍ଧାନୀ କୁକୁର ଓ ବନ କର୍ମଚାରୀଙ୍କ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ।
ଶିଶୁକନ୍ୟା ବେଦିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ଆଶା ବାନ୍ଧି ରହିଛନ୍ତି । ଅନ୍ୟପଟେ ଘଟଣାର ପ୍ରକୃତ କାରଣ ଏବଂ ବନ୍ୟଜନ୍ତୁର ପରିଚୟ ଜାଣିବାକୁ ବନ ବିଭାଗ ତଦନ୍ତ ଜାରି ରଖିଛି ।
📱 Get Argus News App
✨Related Topics
Explore more stories