ଟୋଲଗେଟ୍ ଦେଇ ଯାଉଥିଲେ ସାବଧାନ ! ଫେବ୍ରୁଆରୀ ପହିଲାରୁ କଟିବ ଚାଲାଣ

Key Points
ଫେବ୍ରୁଆରୀ ପହିଲାରୁ ନୂଆ ନିୟମ
ଟୋଲଗେଟରେ କଟିବ ଚାଲାଣ
ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ
କଟକ: ରାତି ପାହିଲେ ଗାଡ଼ି ଧରି ଘରୁ ଗୋଡ଼ କାଢ଼ୁଛନ୍ତି । ତାହେଲେ ସାବଧାନ ହୋଇ ଯାଆନ୍ତୁ । ତୁରନ୍ତ ଆପଣଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରି ନିଅନ୍ତୁ । ନ ହେଲେ ଟୋଲଗେଟ୍ରେ କଟିପାରେ ଆପଣଙ୍କ ଗାଡ଼ିର ଚାଲାଣ ।
ଫେବ୍ରୁଆରୀ ପହିଲାରୁ ଟୋଲଗେଟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଇ-ଡିଟେକ୍ସନ । ଯେଉଁଥିରେ ମୋଟର ଯାନର ବୀମା ନ ଥିଲେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ।
📱 Get Argus News App
✨ମୋଟର ଯାନ ଆଇନ୍ ଅନୁଯାୟୀ ବୈଧ ବୀମା ନ ଥାଇ ଗାଡ଼ି ଚଳାଉଥିବା ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଂଘନ କରି ବୀମା କରୁନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ।
ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ପୂର୍ବରୁ ଇ- ଡିଟେକ୍ସନରେ ପରମିଟ, ଫିଟନେସ, ଟିକସ ନିୟମ ଉଲ୍ଲଂଘନକାରୀଙ୍କୁ ଟୋଲଗେଟରେ ଚିହ୍ନଟ କରା ଯାଉଥିଲା । ଏବେ ବୀମା ନଥିଲେ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ । ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।