Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶାରୀରିକ ସ୍ପର୍ଶ ଜରୁରି ନୁହେଁ,ପୋଷାକ ଉପରୁ ଛୁଇଁଲେ ବି ଯୌନ ନିର୍ଯାତନା !

Odisha

Posco act / ଶାରୀରିକ ସ୍ପର୍ଶ ଜରୁରି ନୁହେଁ,ପୋଷାକ ଉପରୁ ଛୁଇଁଲେ ବି ଯୌନ ନିର୍ଯାତନା !

Bikash Mohanty
Browse all articles by Bikash Mohanty
·4 months ago·2 min read
ଶାରୀରିକ ସ୍ପର୍ଶ ଜରୁରି ନୁହେଁ,ପୋଷାକ ଉପରୁ ଛୁଇଁଲେ ବି ଯୌନ ନିର୍ଯାତନା !
minor girl

Key Points

ପୋଷାକ ଉପରୁ ଛୁଇଁଲେ ବି ଯୌନ ନିର୍ଯାତନା !
ଅପରାଧୀ ଓ ପୀଡ଼ିତାଙ୍କ ମଧ୍ୟରେ ଶାରୀରିକ ସ୍ପର୍ଶ ଜରୁରି ନୁହେଁ
ଓଡ଼ିଶା ହାଇକୋର୍ଟଙ୍କ ରାୟ 
ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଯୌନ ନିର୍ଯାତନା ସହ ସମାନ। ପୋକ୍ସୋ ଆଇନ ଅନୁସାରେ ଯୌନ ଉତ୍ପିଡ଼ନ ଅପରାଧ ପାଇଁ ଅପରାଧୀ ଓ ପୀଡ଼ିତାଙ୍କ ମଧ୍ୟରେ ଶାରୀରିକ ସ୍ପର୍ଶ ଜରୁରି ନୁହେଁ। ଯଦି ଅଭିଯୁକ୍ତର ‘ଯୌନ ଅଭିସନ୍ଧି’ ଥାଏ ଓ ସେ ପୀଡ଼ିତାଙ୍କୁ ପୋଷାକ ଉପରୁ ମଧ୍ୟ ସ୍ପର୍ଶ କରିଥାଏ, ତେବେ ତାହା ଯୌନ ଅପରାଧ ଭାବେ ବିବେଚିତ ହେବ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ନାବାଳିକା ଯୌନ ଉପୀଡ଼ନ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏଥି ସହିତ ବସ୍ ଭିତରେ ଝରକା ପାଖ ସିଟ୍‌ରେ ବସିଥିବା ପୀଡ଼ିତାଙ୍କୁ ବାହାରପଟୁ ହାତ ଗଳାଇ ଆକ୍ରମଣ କରିଥିବା ଆସାମୀକୁ ପୋକ୍‌କ୍ସୋ ଆଇନର ଧାରା ୮ ଓ ଆଇପିସିର ଦଫା ୩୫୪ରେ ଦୋଷୀ ସାବ୍ୟସ୍ତ କରି ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ପ୍ରଦାନ କରିଥିବା ୨୦୨୪ ଅକ୍ଟୋବର ୧ର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହି ରାୟ ବିରୋଧରେ ଆସାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଡକ୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବତନ୍ତ୍ର ଅଦାଲତ ରାୟ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି|

ଗତ୨୦୨୧ ଅଗଷ୍ଟ ୨୬ରେ ୧୭ ବର୍ଷୀୟା ନାବାଳିକା ପୀଡ଼ିତା ନିଜ ପରିବାର ସଦସ୍ୟଙ୍କ ସହ ଏକ ବସ୍‌ରେ ରାଇକିଆରୁ ଜି.ଉଦୟଗିରି ଯାଉଥିଲେ | ବସ୍‌ର ଡାହାଣ ପାଖ ଝରକା ଥିବା ସିଟ୍‌ରେ ପୀଡ଼ିତା ବସିଥିଲେ | ବସ୍‌ଟି ରାଇକିଆ ୟୁକୋ ବ୍ୟାଙ୍କ ଛକ ନିକଟରେ ଅଟକିଥିବା ବେଳେ ବାହାରୁ ଅଭିଯୁକ୍ତ ଜଣକ ଝରକା ବାଟେ ହାତ ଗଳାଇ ନାବାଳିକାଙ୍କ ପ୍ରତି ଅସଦାଚରଣ କରିଥିଲା । ନାବାଳିକା ଜଣକ ପାଟି କରିବାରୁ ତାଙ୍କ ପିତା ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେଠାରୁ ଆକ୍ରମଣ କରି କ ଖସି ପଳାଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ପିତାଙ୍କ ଏତଲା ଆଧାରରେ ରାଇକିଆ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଚିହ୍ନଟ କରିବା ସହିତ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା | ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ମାମଲାର ଶୁଣାଣି କରି ଆସାମୀକୁ ୩ବର୍ଷ ସଶ୍ରମ ଜେଲ୍ ଓ ୫୦୦୦ ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ । ଏହି ଦଣ୍ଡାଦେଶକୁ ବିରୋଧ କରି ଆସାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ପୋକ୍ସୋ (POCSO) ଆଇନ ବା The Protection of Children from Sexual Offences Act, 2012 ହେଉଛି ପିଲାମାନଙ୍କୁ ଯୌନ ଶୋଷଣ ଓ ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଏକ ସ୍ୱତନ୍ତ୍ର ଆଇନ। ୧୮ ବର୍ଷରୁ କମ୍ ବୟସର ଯେକୌଣସି ବ୍ୟକ୍ତିଙ୍କୁ ଏହି ଆଇନ ଅନୁସାରେ 'ଶିଶୁ' ଭାବେ ଗଣନା କରାଯାଏ। ଯୌନ ନିର୍ଯାତନା, ଯୌନ ଶୋଷଣ ଏବଂ ଅଶ୍ଳୀଳ ଚିତ୍ର (Pornography) ପ୍ରଦର୍ଶନ ଭଳି ଅପରାଧଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ପିଲାମାନଙ୍କ ମାନସିକ ଓ ଶାରୀରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଆଇନରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସେହିପରି ପୋକ୍ସୋ ମାମଲାରେ କୌଣସି ପ୍ରକାରର ଆପୋଷ ବୁଝାମଣା ବା ସମାଧାନ ପାଇଁ ସ୍ଥାନ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Posco act | Posco act | Touching a minor’s private parts is legally considered sexual assault under child protection laws. Learn what the court said and why the ruling strengthen. | Argus News