Chips Packet / ଚିପ୍ସ ପ୍ୟାକେଟରେ ଥିବା ଖେଳନା ବିସ୍ଫୋରଣରୁ ନଷ୍ଟ ହେଲା କୁନି ପିଲାର ଆଖି

Key Points
ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରେ ଅଭାବନୀୟ ଘଟଣା ।
ଆହତ ପିଲାଟି ତୃତୀୟ ଶ୍ରେଣୀର ଛାତ୍ର ଅଙ୍କେଶ ହରପାଲ ।
ଚିପ୍ସ ପ୍ୟାକେଟରେ ଥିବା ଖେଳନା ବିସ୍ଫୋରଣରୁ ଅଘଟଣ ।
ଖେଳନା ବିସ୍ଫୋରଣରେ ନଷ୍ଟ ହେଲା କୁନି ପିଲାର ଆଖି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରେ । ଆହତ ପିଲାଟି ହେଲା ତୃତୀୟ ଶ୍ରେଣୀର ଛାତ୍ର ଅଙ୍କେଶ ହରପାଲ । ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇବା ପରେ ସେଥିରେ ଥିବା ଖେଳନାକୁ ନିଆଁରେ ପକାଇଦେଇଥିଲେ । ନିଆଁରେ ପଡ଼ିବା ମାତ୍ରେ ହଠାତ ଖେଳନାଟି ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କୁନି ପିଲାର ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଗୁରୁତର ଅବସ୍ଥାରେ କୁନି ପିଲାଟିକୁ ପରିବାର ଲୋକେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେତେ ବେଳକୁ ଆଖି ନଷ୍ଟ ହୋଇଯାଇଥିଲା । ଆହତ ପିଲାର ବାପା ଟିଟିଲାଗଡ଼ ଥାନାରେ ଏତଲା ଦେଇଛନ୍ତି । ସଂପୃକ୍ତ ଚିପ୍ସ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ ।
କିଛି ଦିନ ପୂର୍ବରୁ ମଧ୍ୟ ସାମାନ୍ୟ ଚିପ୍ସ୍ ଖାଇ ଅକାଳରେ ଚାଲିଯାଇଥିଲା ଗୋଟିଏ ନିଷ୍ପାପ ୪ ବର୍ଷ ବୟସ ଶିଶୁର ଜୀବନ । ଚିପ୍ସ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଶିଶୁଟିର ମୃତ୍ୟ ହୋଇଥିଲା । ଏପରି ଏକ ଘଟଣାଟି ଘଟିଥିଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ସିକରମାହା ଗ୍ରାମ ନିକଟସ୍ଥ ମୁସିମାହା ଗ୍ରାମରେ । ମୃତ ଶିଶୁ ଜଣକ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗଲ ପ୍ରଧାନ ।
ବିଗଲ ସବୁଦିନ ଭଳି ଗାଁ ସ୍କୁଲ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପଢ଼ିବାକୁ ଯାଇଥିଲା । ଅଙ୍ଗନବାଡି ଛୁଟି ହେବାପରେ ବାପା ରଞ୍ଜିତ ପୁଅକୁ ଅଙ୍ଗନବାଡିରୁ ଆଣି ଘରକୁ ଆଣିଥିଲେ, ସେଠାରେ ବିଗଲ ଖେଳୁଥିବା ସମୟରେ ପୁଅ ପାଇଁ ବାପା ସ୍ନେହରେ ନେଇଥିବା ଏକ ଚିପ୍ସ୍ ପ୍ୟାକେଟ ଖାଇବାକୁ ଦେଇ ସ୍ୱାମୀ ସ୍ତ୍ରୀ ଖାଇବାକୁ ବସିଥିଲେ ।
ହେଲେ ଜାଣିନଥିଲେ ଯେ, ଦେଇଥିବା ପ୍ୟାକେଟରେ ପୁଅର ମୃତ୍ୟୁ ଲେଖାଅଛି ବୋଲି । ଚିପ୍ସ ପ୍ୟାକେଟ୍ ଭିତରୁ ଏକ ପ୍ଲାଷ୍ଟିକ୍ ଖେଳଣା ବାହାରିଥିଲା ଯାହାକୁ ଚିପ୍ସ୍ ଭାବି ଗିଳିଦେଇଥିଲା ଶିଶୁଟି । ଖେଳଣାଟି ଶିଶୁର ତଣ୍ଟିରେ ଲାଗିଯାଇ ଶ୍ଵାସ ରୁନ୍ଧି ହୋଇଥିଲା । ଫଳରେ ଅଚେତ ହୋଇଯାଇଥିଲା ଶିଶୁଟି । ଏହାପରେ ନାଗକରୁ ରକ୍ତସ୍ରାବ ହୋଇଥିଲା । ବାପା ମା ଶୁଶୁକୁ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
📱 Get Argus News App
✨Related Topics
Explore more stories