Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ପ୍ରଶିକ୍ଷଣ ଶିବିର

Odisha

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ପ୍ରଶିକ୍ଷଣ ଶିବିର

Smruti Parija
Browse all articles by Smruti Parija
·1 year ago·2 min read
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀ ମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଏବଂ ଆସନ୍ତାକାଲି (ନଭେମ୍ବର ୧୨ ଓ ୧୩) ଅର୍ଥାତ ଦୁଇଦିନ ଧରି ଅନୁଷ୍ଠିତ ହେବ।
ଓଡ଼ିଆ ଭାଷା, ସାହିତ୍ୟ  ଓ ସଂସ୍କୃତି ବିଭାଗର ଯୁଗ୍ମନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ ପ୍ରଶିକ୍ଷଣ ନେଉଥିବାର ସୂଚନା ମିଳିଛି।

ଆଜି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ "ପ୍ରଶିକ୍ଷଣ ପୁସ୍ତିକା" ଶ୍ରୀ ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା। ନିଜର ଅଭିଭାଷଣରେ ଶ୍ରୀ ଆଚାର୍ଯ୍ୟ ସମସ୍ତ ପ୍ରଶିକ୍ଷାର୍ଥୀ ଓ ବିଶେଷଜ୍ଞମାନଙ୍କୁ ସାଧୁବାଦ ଜଣାଇବା ସହିତ ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ଓଡ଼ିଆ ଭାଷାର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଆ ଭାଷାର ମୌଳିକତା ଏବଂ ଶାସ୍ତ୍ରୀୟତା ପାଇଁ ସେ ବୁଦ୍ଧିଜୀବୀ ଏବଂ ସାରସ୍ୱତ ସ୍ରଷ୍ଟାମାନଙ୍କୁ ସାଧୁବାଦ ଜଣାଇଥିଲେ। 

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ ସମସ୍ତ ଅଧିକାରୀ ମାନଙ୍କୁ କହିଥିଲେ ଯେ, ସରକାରୀ କାର୍ଯ୍ୟରେ ଅଧିକାରୀମାନେ ଯେପରି ସଠିକ୍ ଓ ନିର୍ଭୁଲ ଭାବେ ଓଡ଼ିଆ ଭାଷାକୁ ପ୍ରୟୋଗ କରିପାରିବେ ସେଥିପାଇଁ ଏହି ଶିବିରର ଆୟୋଜନ କରାଯାଇଛି। ତେଣୁ ସମସ୍ତ ଅଧିକାରୀମାନେ ଧ୍ୟାନ ସହକାରେ ପ୍ରଶିକ୍ଷଣ ନେବାପାଇଁ ସେ କହିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଏହିଭଳି ଶିବିର ଆୟୋଜନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଆଚାର୍ଯ୍ୟ ମତପ୍ରକଶ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଡ଼. ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ। 

ପ୍ରକାଶଯୋଗ୍ୟ ଯେ, ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଶବ୍ଦ ଭଣ୍ଡାରର ବ୍ୟାବାହାରିକ ରୂପ, ପ୍ରଶାସନିକ ଶବ୍ଦ ଚୟନ, ଓଡ଼ିଆ ଭାଷାରେ ଆଦେଶନାମା, ଟିପ୍ପଣୀ ଓ ଚିଠା ଆଦିର ପ୍ରସ୍ତୁତି, କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆଜି ପ୍ରଥମ ଦିନରେ ବିଶିଷ୍ଟ ଭାଷାବିତ୍‌ ଡ଼. କୈଳାସ ଚନ୍ଦ୍ର ଟିକାୟତରାୟ ଏବଂ  ଡ଼. ରମେଶ ଚନ୍ଦ୍ର ମଲ୍ଲିକ ଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଓଡ଼ିଆ ଭାଷାରେ ସୁନାମ ଓ ଦକ୍ଷତା ହାସଲ କରିବା ବ୍ୟକ୍ତିବିଶେଷ ଏବଂ ଓଡ଼ିଆ ଭରଚୁଆଲ୍ ଏକାଡେମୀ ତରଫରୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
 

Sponsored
Training camp for use of Ordia language in government work | Argus News