ପିଢ଼ି ପରେ ପିଢ଼ି ରହୁଛନ୍ତି ଆଦିବାସୀ, ଅଚାନକ ବିକ୍ରି ହୋଇଗଲା ଜମି

Key Points
ନିଜ ବାପା ଅଜା ଅମଳରୁ ଏମାନେ ଘରଦ୍ବାର କରି ରହୁଛନ୍ତି ।
କିନ୍ତୁ ଏବେ ଶହେରୁ ଅଧିକ ଆଦିବାସୀ ପରିବାରର ଆଖିରୁ ନିଦ ହଜି ଯାଇଛି ।
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଡକ୍ଟର ବାଞ୍ଜାରୀ ଗାଁରେ ଅଜବ ଘଟଣା । ପିଢ଼ି ପରେ ପିଢି ଧରି ଗ୍ରାମବାସୀ ରହି ଆସୁଥିବା ଜମି ହୋଇଯାଇଛି ବିକ୍ରି । ୪୨ ଏକର ଜମି ବିକ୍ରି କରିଛନ୍ତି ମାଲିକାନାରେ ଥିବା ଏମ୍. ଚନ୍ଦ୍ରଶେଖର । ଏବେ ଦେଢ଼ ଶହ ଆଦିବାସୀ ପରିବାରକୁ ଘାରିଛି ବିସ୍ଥାପନ ଭୟ ।
ନିଜ ବାପା ଅଜା ଅମଳରୁ ଏମାନେ ଘରଦ୍ବାର କରି ରହୁଛନ୍ତି । ଏଠାରେ ସରକାରୀ ସ୍କୁଲ୍, ଅଙ୍ଗନୱାଡ଼ି କେନ୍ଦ୍ର ବି ଅଛି । ଏମିତିକି ଅନେକ ପରିବାରକୁ ସରକାରଙ୍କ ଆବାସ ଯୋଜନାରେ ଘର ମିଳିଛି । ପାନୀୟ ଜଳ ଓ ବିଜୁଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ହେଲେ ହଠାତ୍ ଏବେ ସରକାରୀ ଭାବେ ଜମି ମାଲିକାନାରେ ଥିବା ଏମ.ଚନ୍ଦ୍ରଶେଖର ରାଓ ଗ୍ରାମବାସୀ ବସବାସ କରୁଥିବା ପ୍ରାୟ ୪୨ ଏକର ଜମି ବିକ୍ରି କରିଦେଇଛନ୍ତି ।
ଏହି ଜମିକୁ ଗଞ୍ଜାମ ଜିଲ୍ଲାର ଜଣେ ମହିଳା କିଣିଛନ୍ତି । ଏକଥା ଜାଣିବା ପରଠୁ ଶହେରୁ ଅଧିକ ଆଦିବାସୀ ପରିବାରର ଆଖିରୁ ନିଦ ହଜି ଯାଇଛି । ଯଦି ଗାଁ ଉଚ୍ଛେଦ ହେଲା ତାହେଲେ ସେମାନେ ଯିବେ କୁଆଡ଼େ, କେଉଁଠି ରହିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କତଲକଇଠା ପଞ୍ଚାୟତର ଡକ୍ଟର ବାଞ୍ଜାରୀ ଗ୍ରାମବାସୀ ।
ଜମି ବିକ୍ରି ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ତ ହୋଇଥିଲେ ଗ୍ରାମବାସୀ । ଜିଲ୍ଲାପାଳ କହିଛନ୍ତି- ମ୍ୟୁଟେସନ୍ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ଜମି ବିକ୍ରି ହୋଇଯାଇଥିବା ବେଳେ ମରିବୁ ପଛେ ଆମେ ଜାଗା ଛାଡିବୁ ନାହିଁ ବୋଲି କହିଛନ୍ତି ଆଦିବାସୀ ପରିବାର ।