କୁଟ୍ଟେ ଓ ଆଶିଷଙ୍କ ଉପରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ !

Key Points
- କୁଟ୍ଟେ ଓ ଆଶିଷଙ୍କ ଉପରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ
- ପ୍ରକ୍ରିୟା ଆରମ୍ଭ କଲାଣି ଗୃହ ବିଭାଗ
- ୩୦ ଦିନ ଭିତରେ ଉତ୍ତର ଦେବାକୁ ଉଭୟଙ୍କୁ ନିର୍ଦ୍ଦେଶ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂହ । କାରଣ ଉଭୟଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟାନୁଷ୍ଠାନ ପାଇଁ ଏହାରି ଭିତରେ ପ୍ରକ୍ରିୟା ଆରମ୍ଭ କରିଛି ଗୃହବିଭାଗ । ସୂଚନା ଅନୁସାରେ, ୩୦ ଦିନ ଭିତରେ ଉତ୍ତର ଦେବାକୁ ଉଭୟଙ୍କୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି । ତାହା ସହ ଆସିଥିବା ଆରୋପର ଉତ୍ତର ଦେବାକୁ ଉଭୟ ଅଫିସରଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି । ଧାର୍ଯ୍ୟ ସମୟରେ ଉତ୍ତର ନ ଦେଲେ ଏକପାଖିଆ ନିଷ୍ପତ୍ତି ନିଆଯିବାକୁ ଚେତାବନୀ ବି ଦେଇଛି ଗୃହ ବିଭାଗ । ଯାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।
ଡିଏସ୍ କୁଟ୍ଟେ ଓ ଆଶିଷ ସିଂ । ଉଭୟେ ବିଜେଡି ସରକାରରେ ବେଶ ପାୱାରର ଅଧିକାରୀ ଥିଲେ । କୁହାଯାଉଥିଲା କି ପ୍ରତ୍ୟକ୍ଷ ଭାବରେ ଉଭୟେ ବିଜେଡିର ନିର୍ବାଚନ ପରିଚାଳନା କରୁଥିଲେ । ଟିକଟ ବାଣ୍ଟିବାଠୁ ଆରମ୍ଭ କରି ମିଟିଂର ବି ଆୟୋଜନ କରୁଥିଲେ । କଥା ହେଲା ସରକାର ଚାକିରିରେ ଥିବା ପରେ ବି ଯେଉଁପରି ଭାବରେ ରାଜନୀତି କରୁଥିଲେ ଏବଂ ନିର୍ଦ୍ଧିଷ୍ଟ ଦଳ ଲାଗି କାର୍ଯ୍ୟ କରୁଥିଲେ । ଯାହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବା ସହିତ ଉଭୟ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବି କରିଥିଲେ । ପରବର୍ତ୍ତୀ ସମୟରେ କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷଙ୍କୁ ମେଡ଼ିକାଲରେ ହାଜିରା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।
ସୂଚନା ଅନୁସାରେ, IPS ଆଶିଷ ସିଂ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ସେ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଜଣାପଡ଼ିଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆଶିଷ କାହିଁକି ଭୁଲ ତଥ୍ୟ ଦେଇଥିଲେ ? ତାହାକୁ ନେଇ ବି ଚର୍ଚ୍ଚା ଜୋର ଧରିଥିଲା । ହେଲେ, ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ ହୋଇଥିଲା କି ଆଶିଷ ମିଛ କହୁଥିଲେ । ତେଣୁ ECI ସଫା ସଫା କହିଥିଲେ, ନିଜ ସ୍ୱାସ୍ଥ୍ୟ ବାବଦରେ ମିଛ କହିଥିଲେ ଆଶିଷ, ଭୁଲ୍ ତଥ୍ୟ ଦେଇଥିଲେ । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ତେବେ ବର୍ତ୍ତମାନ ଉଭୟ ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ କାର୍ଯ୍ୟରତ ଅଛନ୍ତି । ହେଲେ ଏବେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନେଇ କଥା ଉଠିବାରୁ ଚର୍ଚ୍ଚା ଜୋର ଧରିଛି ।