ରାଜ୍ୟରେ ଏବେ ଯୁଆଡ଼େ ଦେଖିବ ଗୋ-ମାଂସ !

୫ ଟନ୍ ଗୋରୁ ମାଂସ ବୋଝେଇ ଟ୍ରକ ଜବତ । ଗୋଟିଏ ପଟେ ସତ୍ୟବାଦୀ ଜୟା ହୋଟେଲରେ ମଟନ ନାଁରେ ଗୋ-ମାଂସ ବିକ୍ରି । ଯାହାକୁ ନେଇ ସାରା ରାଜ୍ୟରେ ଚାପା ଉତ୍ତେଜନା । ଆଉ ଅନ୍ୟପଟେ ଏହି ଘଟଣାର ଗୋଟିଏ ଦିନ ପରେ ବସ୍ତା ଅଞ୍ଚଳରେ ଏକ ଟ୍ରକରୁ ୫ ଟନ୍ ଗୋ-ମାଂସ ଜବତ । ରାଜ୍ୟରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସତ୍ୟବାଦୀ ଜୟା ହୋଟେଲ ପରିସରରେ ୧୬୩ ଧାରା ଲାଗୁ । ହୋଟେଲଠାରୁ ୧ କିମି ପରିଧି ମଧ୍ୟରେ କଟକଣା ଲାଗୁ । ସାଂପ୍ରତିକ ପରିସ୍ଥିତିକୁ ନଜରରେ ରଖି ଜୟା ହୋଟେଲ ପରିଧି ଭିତରେ ୧୬୩ ଧାରା ଲାଗୁ କଲା ଜିଲ୍ଲା ପ୍ରଶାସନ । ୪ ଜଣରୁ ଅଧିକ ଲୋକ ଏକତ୍ରିତ ନ ହେବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ତେବେ ଜୟା ହୋଟେଲରେ ଗୋମାଂସ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।
ତେବେ ଗୋଚାଲାଣ ବେଳେ ଲୋକଙ୍କ ହାତରେ ଧରାପଡ଼ିଥିବା ପିଣ୍ଟୁ କଥାରୁ ଯାହା ସ୍ପଷ୍ଟ, ପୁରୀରେ ବେଧଡ଼କ ଚାଲିଛି ଗୋଚାଳାଣ। ଆଉ ମଟନ ନାଁରେ ବିଭିନ୍ନ ହୋଟେଲରେ ମିଳୁଛି ଗୋମାଂସ । ପିଣ୍ଟୁ ଦେଇଥିବା ବୟାନ ଭିଡିଓ ଭାଇରାଲ ପରେ ଆକ୍ସନ ମୁଡକୁ ଆସିଛି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ । ପିଣ୍ଟୁ ଯେଉଁ ଜୟା ହୋଟେଲର ନାଁ ନେଇଛି ତାକୁ ସିଲ୍ କରିଛି ପୋଲିସ । ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଜିଲ୍ଲାପାଳ କହିଛନ୍ତି ପିଣ୍ଟୁର ଭିଡ଼ିଓକୁ ପ୍ରାଇମେରୀ ଏଭିଡେନସ ଭାବେ ନିଆଯାଇଛି । ଗୋଚାଲାଣର ନେଟୱର୍କର ପର୍ଦ୍ଦାଫାସ୍ ପାଇଁ ଅନ୍ୟ ସ୍ଥାନରେ ବି ଚଢ଼ାଉ ଚାଲିଛି ।
ଖାଲି ସେତିକି ନୁହେଁ ପିଣ୍ଟୁ ସତ୍ୟବାଦୀ ଥାନା ପୋଲିସ ନାଁରେ ବି ଆଣିଛି ସାଂଘାତିକ ଅଭିଯୋଗ। ପୋଲିସ ଗୋଚାଲାଣକାରୀଙ୍କଠାରୁ ମାସକୁ ୫୦ରୁ ୭୦ ହଜାର ଟଙ୍କା ନିଅନ୍ତି । ଆଉ ବଦଳରେ ସୁରକ୍ଷା ବି ଦିଅନ୍ତି। ଅଭିଯୋଗ ପରେ ସତ୍ୟବାଦୀ ଥାନାର ସବଇନିସପେକ୍ଟର ପ୍ରିୟତମା ପ୍ରଧାନଙ୍କୁ ହେଡକ୍ବାର୍ଟରକୁ ବଦଳି କରାଯାଇଛି।
ହୋଟେଲରେ ଗୋମାଂସ ବିକ୍ରି ହେବା ସନାତନୀଙ୍କ ଧାର୍ମିକ ବିଶ୍ବାସକୁ ଶକ୍ତ କୁଠାରାଘାତ । ଶ୍ରୀମନ୍ଦିର ସିଂହଦ୍ଵାରରୁ ପ୍ରତିବାଦ ଶୋଭାଯାତ୍ରା କରି ପୁରୀ ଏସପିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛି ବଜରଙ୍ଗ ଦଳ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗୋମାତା ସୁରକ୍ଷା ଆଇନ କଡ଼ାକଡ଼ି ପାଳନ କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି । ମାଂସ କେଉଁଠୁ ଆସୁଥିଲା ତାର ତଦନ୍ତ ହେବା ଦରକାର। ଦୋଷୀଙ୍କ ବିରୋଧରେ ହେବା ଦରକାର ଜୋରଦାର କାର୍ଯ୍ୟାନୁଷ୍ଠାନ। ସରକାର ଗୋ ହତ୍ୟା ରୋକିବାକୁ ବଦ୍ଧ ପରିକର ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଅନ୍ୟପଟେ ଏବେ ରାଜ୍ୟରେ ଗୋମାଂସ ତସ୍କରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଚେର ବାଲେଶ୍ବର ସୋର ଅଞ୍ଚଳରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ ଏହି ବ୍ୟବସାୟରେ ଲିପ୍ତ ବ୍ୟବସାୟୀ ବିଭିନ୍ନ ଥାନାର ପୋଲିସ ସହାୟତାରେ ଏହି କଳା କାରବାର ଚଳାଇଥିବା ବେଳେ ଆଜି ଏକ ଟ୍ରକକୁ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରୁ ଗୋଡ଼ାଇ ଗୋଡ଼ାଇ ସିଂଲା ଥାନା ପୁଟୁରା ଛକ ନିକଟରେ କାବୁ କରିବାରେ ସଫଳ ହୋଇଛି ବଜରଙ୍ଗ ଦଳ।
ଯେଉଁଥିରୁ ପ୍ରାୟ ୫ ଟନ୍ ଗୋରୁ ମାଂସ ବୋଝେଇ ଜବତ ହୋଇଛି । ଏହାସହ ଟ୍ରକ ମଧ୍ୟ ଜବତ କରାଯାଇଛି । ଭଦ୍ରକ ଅଞ୍ଚଳରୁ ଗୋ ମାଂସ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ୬୦ ନଂ ଜାତୀୟ ରାଜପଥର ବସ୍ତା ଥାନା ଗାନ୍ଧୀ ଛକ ନିକଟରେ ରାସ୍ତା ଅବରୋଧ କରି ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଟ୍ରକଟି ବାଲିଆପାଳ ରାସ୍ତା ଦେଇ ଖସି ଯିବାକୁ ଉଦ୍ୟମ କରିଥିଲା । ଟ୍ରକଟି ଦୃତ ଗତିରେ ଯାଉଥିବା ବେଳେ ପୁଟୁରା ଛକ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲା । ସିଂଲା ପୋଲିସ ଘଟଣାସ୍ଥଳରେ ପହଁଚି ଟ୍ରକକୁ ଜବତ କରି ଥାନାକୁ ଆଣିଥିବା ବେଳେ ଡ୍ରାଇଭର ଏବଂ ହେଲପର ଚମ୍ପଟ ମାରିଛନ୍ତି ।