Nuapada By Election / ଗୋଟିଏ ଦିନରେ ଜୟଙ୍କ ପାଇଁ ୨ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର

Key Points
କାଲି ବିଜେଡି ସୁପ୍ରିମୋ ପୁଣି ଥରେ ଓହ୍ଲାଇବେ ମଇଦାନକୁ ।
ନୂଆପଡ଼ା କୋମନା ଜନସଭାରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ଜୟ ଢୋଲକିଆଙ୍କୁ ବେଇମାନ କହିବା ପ୍ରସଙ୍ଗରେ ନବୀନଙ୍କୁ ମୋହନ ମାଝୀଙ୍କ ଟାର୍ଗେଟ୍ । ସିଏମ୍ କହିଛନ୍ତି, ବିରୋଧୀଦଳ ନେତା ଜୟଙ୍କୁ ବେଇମାନ ବୋଲି କହିଛନ୍ତି । ପୂର୍ବରୁ ତାଙ୍କ ମୁହଁରୁ ଏ ଶବ୍ଦ କେବେ ବାହାରିନଥିଲା । ଏହା କ'ଣ ବିରୋଧୀଦଳ ନେତାଙ୍କ ମୁହଁରେ ଶୋଭପାଏ । କିଏ ବେଇମାନୀ ତାଙ୍କୁ ଜବାବ ଦେବାକୁ ପଡ଼ିବ । ବେଇମାନର ସଂଜ୍ଞା କ'ଣ, ବେଇମାନ କାହାକୁ କହନ୍ତି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଏହା କି ପ୍ରକାର ଶାଳୀନତା ବୋଲି ପଚାରିଲେ । ସ୍ଥାନୀୟ ନେତା ମିଳିଲେନି ବୋଲି ମାମୁଘର ଥିବା ନେତାଙ୍କୁ ପ୍ରାର୍ଥୀ କଲେ । ବିଜେପୁର, କାକଟପୁରରେ ବିଜେଡି କ'ଣ କରିଥିଲା ମନେ ପକାଇବା ଦରକାର । ନର୍ଲାରେ ତତ୍କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା ବୋଲି ପ୍ରଶ୍ନ କଲେ ମୋହନ ମାଝୀ।
ନୂଆପଡ଼ାରେ ଦୁଇ ମୁଖ୍ୟମନ୍ତ୍ରୀ ଗୁରୁବାର ମାରାଥନ୍ ପ୍ରଚାର କରିଛନ୍ତି । କୋମନାରେ ମଙ୍ଗ ଧରିଲେ ମୋହନ ମାଝୀ । କିଏ ବେଇମାନୀ କହି ନବୀନଙ୍କୁ ମୋହନ ମାରିଲେ ପାଲଟା ବାଣ । କୋମନାର ଉଦ୍ୟାନ ବନ୍ଧରେ ଜୟଙ୍କ ପାଇଁ ମୋହନଙ୍କ ରୋଡ ସୋ । କୋମନାରେ ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଉଦ୍ୟାନବନ୍ଧ ଛକରେ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ପରେ ଏକ ବିଶାଳ ରୋଡ ଶୋରେ ଜୟ ଢୋଲକିଆଙ୍କ ପାଇଁ କରିଥିଲେ ପ୍ରଚାର । ସହରର ଶେଷ ମୁଣ୍ଡରେ ଆୟୋଜିତ ସଭାରେ ଜୟଙ୍କୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ କରିଥିଲେ ଅପିଲ ।
ସେପଟେ ନୂଆପଡା ସୀମାରେ କୁଟବନବେରା ପଞ୍ଚାୟତ ପଞ୍ଚମପୁରରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ ଛତିଶଗଡ ମୁଖ୍ୟମନ୍ତୀ ବିଷ୍ମୁଦେବ ସାଏ । ବିକାଶ ସହ ବିଜେପି ଥିବାରୁ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିବା ସହ ନବୀନଙ୍କ ଓଡିଆ ଜ୍ଞାନକୁ ବି କଟାକ୍ଷ କରିଥିଲେ ବିଷ୍ଣୁଦେବ ।
ପ୍ରଚାରର ଲଢେଇ ଭିତରେ ଗୁରୁବାର ନୂଆପଡା ଭୋଟରଙ୍କ ପାଇଁ ଇସ୍ତାହାର ଜାରି କରିଛି କଂଗ୍ରେସ । ଦଳର ପ୍ରାର୍ଥୀ ବିଜୟୀ ହେଲେ ଲୋକଙ୍କ ପାଇଁ କଣ କଣ କରିବେ ଇସ୍ତାହାରରେ ଲେଖିଛି କଂଗ୍ରେସ । ଦାଦନ ଦୁଃଖରୁ ମୁକ୍ତି ସହ ଶୀତଳ ଭଣ୍ଡାର, କୃଷି ଭିତ୍ତିକ ଶିଳ୍ପ, ଜଙ୍ଗଲ ଅଧିକାର, ଶିକ୍ଷକ ପଦ ପୁରଣ ପରି ଅନେକ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ତେବେ ସରକାର ନଥାଇ ଦଳର ପ୍ରାର୍ଥୀ ବିଜୟୀ ହେଲେ ଏସବୁ ପ୍ରତିଶ୍ରୁତି କେମିତି ପୁରଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପୁରୁଣା ପ୍ରସଙ୍ଗକୁ ପୁଣି ଥରେ ଦୋହରାଇ ବିଜେପିକୁ ନିଶାନା କରିଛି ।
ଆଜି ଗୋଟଏ ଦିନରେ ଦୁଇ ମୁଖ୍ୟମନ୍ତ୍ରୀ ଜୟଙ୍କ ପାଇଁ ପ୍ରଚାର କରିଥିବା ବେଳେ କାଲି ସ୍ନେହାଙ୍ଗୀନିଙ୍କ ପାଇଁ ପୁଣି ଥରେ ପ୍ରଚାରର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶୁକ୍ରବାର ଛତିଶଗଡର ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ବି ଜୟଙ୍କ ପାଇଁ ପ୍ରଚାର କିରବେ । ପ୍ରଚାରର ଶେଷ ଦିନ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିପାରନ୍ତି ଅଖିଳେଶ ଯାଦବ ।
📱 Get Argus News App
✨Related Topics
Explore more stories