Lunar Eclipse: ୬ ମାସ ଅନ୍ତରରେ ଦୁଇଟି ଚନ୍ଦ୍ର ଗ୍ରହଣ, ଶୁଭ ନା ଅଶୁଭ ?

Key Points
ମାତ୍ର ୬ ମାସ ବ୍ୟବଧ୍ୟାନରେ ସଂଗଠିତ ହେବାକୁ ଯାଉଛି ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ । ଚଳିତ ଆର୍ଥିକ ବର୍ଷରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦ୍ଵନ୍ଦ୍ଵ ବଢ଼ୁଥିବା ବେଳେ ଭିନ୍ନ ମତ ରଖିଛନ୍ତି ଜ୍ୟୋତିର୍ବିଦ ।
ପୁରୀ: ୨୦୨୫ ସେପ୍ଟେମ୍ବର ୭ ପରେ ୨୦୨୬ ମାର୍ଚ୍ଚ ୩ । ମାତ୍ର ୬ ମାସ ବ୍ୟବଧ୍ୟାନରେ ସଂଗଠିତ ହେବାକୁ ଯାଉଛି ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ । ଚଳିତ ଆର୍ଥିକ ବର୍ଷରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦ୍ଵନ୍ଦ୍ଵ ବଢ଼ୁଥିବା ବେଳେ ଭିନ୍ନ ମତ ରଖିଛନ୍ତି ଜ୍ୟୋତିର୍ବିଦ । ଅନେକ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କହୁଥିବା ବେଳେ ଅନ୍ୟ ଜ୍ୟୋତିର୍ବିଦ ଦେଶ ପ୍ରତି ଅମଙ୍ଗଳ ନେଇ ପଞ୍ଜିକାରେ ଉଲ୍ଲେଖ ନ ଥିବା କହିଛନ୍ତି ।
ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଗବତ ଜନ୍ମ ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେବ । ଏଥିସହ ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଆଉ ଏକ ଚନ୍ଦ୍ର ଗ୍ରହଣ ପଡ଼ୁଛି । ୬ ମାସ ଅନ୍ତରରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ପଡୁଥିବାରୁ କିଛି ଜ୍ୟୋତିର୍ବିଦ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିସହ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତା ବର୍ଷ ଦୋଳପୂର୍ଣ୍ନିମାରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଛି । ତେଣୁ ଦୁଇଟି ଚନ୍ଦ୍ର ଗ୍ରହଣକୁ ନେଇ ଜ୍ୟୋତିର୍ବିଦ ମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି ।
ରାହୁ ଏବଂ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହା ଶୁଭଙ୍କର ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି ଗଜପତି ମହାରାଜାଙ୍କ ଜ୍ୟୋତିଷ ଶିବ ନାରାୟଣ ମହାପାତ୍ର । ସେପଟେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ନିଜସ୍ୱ ଗଣନା ଅନୁଯାୟୀ କହିଛନ୍ତି, ଏହି ଦୁଇଟି ଯାକ ଗ୍ରହଣ ପୂର୍ଣ୍ଣଗ୍ରାସ ହେଉଥିବାରୁ ଏହା ଦେଶ ପାଇଁ ଆର୍ଥିକ ସମସ୍ୟା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ, ରାଜନୈତିକ ଅସ୍ଥିରତା, ଦେଶ ଦେଶ ମଧ୍ୟରେ ସମ୍ପର୍କରେ ଫାଟ, ଦରଦାମ ବୃଦ୍ଧି ଆଦି ଦେଖା ଦେବ ।
କେତେବେଳେ ପାକ ତ୍ୟାଗ ?
📱 Get Argus News App
✨
ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଗ୍ରହଣ ସ୍ପର୍ଶ ପୂର୍ବରୁ ଦିବା ୧୨ ଘଣ୍ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ପାକ ତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି । ତେବେ ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ୍ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ୍ ସାଢେ ତିନିଘଣ୍ଟା ପରେ ଗ୍ରହଣ ସର୍ବମୋକ୍ଷ ହେବ ।
ପାକତ୍ୟାଗ ପରେ ସାଧାରଣ ଲୋକ ମାନେ ବ୍ରାହ୍ମ ମୂହୁର୍ତ୍ତରୁ ଉଠି ଦେବ କାର୍ଯ୍ୟ କରିପାରିବେ । ଅନ୍ୟପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେଲେ ଦେବନୀତି ଆରମ୍ଭ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥିବା ବେଳେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହେବ ବୋଲି କହିଛନ୍ତି ଜ୍ୟୋତିର୍ବିଦ ।
ବିଶେଷ କରି ଗର୍ଭବତୀ ମହିଳା ମାନେ ନିଜର ସୁରକ୍ଷା ପାଇଁ ନିଜ କୋଳରେ ନଡ଼ିଆ ରଖି ଭଗବାନ ବିଷ୍ଣୁଙ୍କୁ ଆରଧନା କରିବା ସହ ଗ୍ରହଣକୁ ଦର୍ଶନ କରିବା ଅନୁଚିତ ବୋଲି କହିଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ ନରେଶ ଚନ୍ଦ୍ର ଦାସ । ଉଭୟ ଗ୍ରହଣକୁ କିଛି ଜ୍ୟୋତିର୍ବିଦ ଅଶୁଭଙ୍କର ବୋଲି କହୁଥିବା ବେଳେ ତାହା ତାହା ସେମାନଙ୍କର ନିଜସ୍ୱ ମତ କିନ୍ତୁ ଉଭୟ ଗ୍ରହଣ ଦେଶ ପାଇଁ ଅଶୁଭଙ୍କର ନୁହେଁ, ପଞ୍ଜିକାରେ ସେଭଳି କିଛି ଉଲ୍ଲେଖ ନଥିବା କହିଛନ୍ତି ଜ୍ୟୋତିର୍ବିଦ ନରେଶ ଚନ୍ଦ୍ର ଦାସ ।
ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ଛତିଶା ନିଯୋଗ ବୈଠକ ଆସନ୍ତା ୨ ତାରିଖରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବ ।