ପୁଣି ୨ ଜଣଙ୍କ ଗଲା ଜୀବନ ! ଏଠି ସେଠି ଖାଇବା ବନ୍ଦ କରନ୍ତୁ, ଭୋଜି ଭାତ କରନ୍ତୁ ନାହିଁ

Key Points
କଟକ ବାଙ୍କୀକୁ ବି ବ୍ୟାପିଲା ଝାଡାବାନ୍ତି ।
ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତିରେ ୨୯ ଜଣ ଆକ୍ରାନ୍ତ ।
୨୯ ଜଣ ଆକ୍ରାନ୍ତ ମଧ୍ୟରୁ ୨୪ ଜଣ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ।
ଯାଜପୁରରେ ଥମୁନି ହଇଜା । ଦିନକୁ ଦିନ ଅଣାୟତ୍ତ ହେଉଛି ଝାଡାବାନ୍ତି । ଝାଡାବାନ୍ତିରେ ଆଉ ଦୁଇ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ଜଣେ ଯାଜପୁର ଖଇରାବାଦ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ କୋଟବସନ୍ତପୁର ଅଞ୍ଚଳର । ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଚିକିତ୍ସା ପାଇଁ ଯାଜପୁର ମେଡିକାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ।
ସେପଟେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘଟଣାସ୍ଥଳ ପରିଦର୍ଶନ କରିବେ । ଏହା ସହ ସ୍ଥିତି ସମୀକ୍ଷା ପାଇଁ ଯାଜପୁର ଯିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ । ICMR, NCDC, WHO ଓ ଖାଦ୍ୟ ନିରାପତ୍ତା ସଦସ୍ୟ ଘଟଣାସ୍ଥଳ ପରିଦର୍ଶନ କରିବେ । ଅନ୍ୟପଟେ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ଜଳ ବ୍ୟବହାରକୁ ବାରଣ କରାଯିବା ସହ ଯାଜପୁରରେ ଭୋଜି ଆୟୋଜନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ହଇଜା ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି ।
ସେପଟେ କଟକ ବାଙ୍କୀକୁ ବି ବ୍ୟାପିଲା ଝାଡାବାନ୍ତି । ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତିରେ ୨୯ ଜଣ ଆକ୍ରାନ୍ତ ହୋଇଛନ୍ତି । ୨୯ ଜଣ ଆକ୍ରାନ୍ତ ମଧ୍ୟରୁ ୨୪ ଜଣ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୫ ଜଣ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗାଁରେ ପହଁଚିଛି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡ଼ାକ୍ତରୀ ଟିମ୍ । ଝାଡ଼ାବାନ୍ତି ଆକ୍ରାନ୍ତଙ୍କର ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଛନ୍ତି । ଖୋଲା କୂଅ, ନଳକୂଅଗୁଡିକରେ ଜଳ ବିଶୋଧନ କରାଯିବ ସହ ପାଣି ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଛି । ଏହା ସହ ଲୋକମାନଙ୍କୁ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି ।
ଏବେ ସୁଦ୍ଧା ଯାଜପୁର, ଭଦ୍ରକ, କେନ୍ଦୁଝରରେ ବ୍ୟାପି ସାରିଛି ଝାଡ଼ାବାନ୍ତି । କିନ୍ତୁ କାହିଁକି ବ୍ୟାପୁଛି । ସ୍ବାସ୍ଥ୍ୟ ବିଭାଗ କହୁଛି ପିଇବା ପାଣି ହୋଇଥାଇପାରେ କାରଣ । ହେଲେ ପ୍ରଶ୍ନ, ସପ୍ଲାଏ ପାଣି ନା ପ୍ୟାକେଜ ପାଣି ? କାହାକୁ ବ୍ୟବହାର କରିବା ଦ୍ବାରା ହେଉଛି ସଂକ୍ରମଣ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଅର୍ଗସ....
ଯାଜପୁରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଉଥିବାର ଦେଖିବାକୁ ମିଳିଛି । ମୁଖ୍ୟତଃ ବାହାରେ ବିକ୍ରି କରାଯାଉଥିବା ଖାଦ୍ୟ, ପାଣି ପାଉଚ ଓ ବୋତଲ ପାଣି ପାଇଁ ଲୋକେ ଝାଡ଼ାବାନ୍ତି ଆକ୍ରାନ୍ତର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏଥିପାଇଁ ହୋଟେଲ ଓ ରେଷ୍ଟୁରଣ୍ଟ ମାନଙ୍କରେ ସଠିକ୍ ଖାଦ୍ୟ ପ୍ରସ୍ତୁତ ହେଉଛି କି ନାହିଁ ତାର ଯାଞ୍ଚ କରାଯାଇଛି। ସାମ୍ପୂଲ୍ ସଂଗ୍ରହ କରାଯାଉଛି। ଫୁଡ୍ ସେଫଟି ଅଫିସରଙ୍କ ସହ ଅନ୍ୟ ଅଧିକାରୀ ମାନେ ଖାଦ୍ୟ ଯାଞ୍ଚ କରୁଛନ୍ତି। ଯେଉଁଠି ଖାଦ୍ୟ ନିମ୍ନ ମାନର ଦେଖିବାକୁ ମିଳୁଛି ସେହି ଖାଦ୍ୟକୁ ନଷ୍ଟ କରାଯାଉଛି । ହୋଟେଲକୁ ଜୋରିମାନା କରାଯାଉଛି ।