ଦିନ ତମାମ ଚାଲିଛି ମାରାଥନ ଜେରା, ଘାଣ୍ଟିଲେ ତିନି ତିନିଟି ଏଜେନ୍ସି

Key Points
ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ 3ଟି ଟିମର ତଦନ୍ତ
କଲେଜ କର୍ତ୍ତୃପକ୍ଷ ଓ ICC ସଦସ୍ୟଙ୍କୁ ଜେରା କଲେ UGC ଓ ଉଚ୍ଚଶିକ୍ଷା ବିଭାଗ ଟିମ୍
ସେପଟେ ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମର ତନାଘନା
କଲେଜରୁ ତଥ୍ୟ ହାସଲ ସହ ଛାତ୍ରୀଙ୍କ ଗାଁରେ ପହଞ୍ଚି ପରିଜନଙ୍କୁ କଲେ ପଚରାଉଚୁରା
UGCର ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଟିମ୍ ସହ କ୍ରାଇମବ୍ରାଞ୍ଚ । ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ଏହି 3ଟି ଟିମ୍ କରିଛନ୍ତି ମାରାଥନ ତଦନ୍ତ। ୟୁଜିସିର ଫ୍ୟାକ୍ଟ ଫାଇଣ୍ଡି କମିଟି ଏଫ୍ ଏମ୍ କଲେଜରେ ପହଞ୍ଚି ଘଟଣାର ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ କରିଛି । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଆସିଥିବା ୟୁଜିସିର ୪ ଜଣିଆ ଟିମ୍ ରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା । ତଦନ୍ତ ଘେରରେ ଅଛନ୍ତି ICC ସଦସ୍ୟ ଓ ଅନ୍ୟ କଲେଜ କର୍ମଚାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଛାତ୍ରଛାତ୍ରୀ ।
ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ICC ରିପୋର୍ଟର ମଧ୍ୟ ତର୍ଜମା କରାଯାଇଛି। ସେହିପରି ଉଚ୍ଚ ଶିକ୍ଷା ବିଭାଗର ୩ ଜଣିଆ ଟିମ୍ ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ୭ ଜଣ ଛାତ୍ରଛାତ୍ରୀଙ୍କୁ ପଚରାଉଚୁରା କରିଛନ୍ତି। ଆସନ୍ତାକାଲି ପୁଣି ଥରେ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଓ ଉଚ୍ଚ ଶିକ୍ଷା ବିଭାଗର ଟିମ୍ କଲେଜ୍ ଓ ପୀଡ଼ିତାଙ୍କ ଘରେ ଯାଇ କରିବେ ତନାଘନା।
📱 Get Argus News App
✨ଆଜି ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ତଦନ୍ତ ଜୋରଦାର କରିଛି। ଗତକାଲି କଲେଜ୍ ନିକଟସ୍ଥ ପେଟ୍ରୋଲ ପମ୍ପରେ ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ଜବତ କରିବା ସହ ପଚରାଉଚୁରା କରିଥିଲେ। ଆଜି କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ମୃତ ଛାତ୍ରୀଙ୍କ ଭୋଗରାଇ ପାଳସୀୟାସ୍ଥିତ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚୁରା କରିଛି। ଅନ୍ୟ ଏକ ଟିମ୍ କଲେଜ୍ କ୍ୟାମ୍ପସରେ ଅଧିକ ତନାଘନା କରିଛି । ସେପଟେ ଦୀର୍ଘ ୭ ଦିନ ଧରି ଖାଁ ଖାଁ FM କଲେଜ୍ କ୍ୟାମ୍ପସ ଆଜି ଠାରୁ ସ୍ଵାଭାବିକ ହୋଇଛି। ପୂର୍ବ ଭଳି କ୍ଲାସ୍ ଚାଲିଛି। ତେବେ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି।
ଗୋଟିଏ ପଟେ HODଙ୍କ ନିର୍ଯ୍ୟାତନା, ତା ପରେ iccର ଭୂମିକା ଏବଂ ଆତ୍ମହତ୍ୟା ପାଇଁ କେଉଁମାନେ ଷଡଯନ୍ତ୍ର କରିଥିଲେ, ଏ ଦୁଇଟି ଦିଗକୁ ନେଇ ହେଉଛି ମାମଲାର ତଦନ୍ତ । ସେପଟେ ଅର୍ଗସକୁ ପୀଡ଼ିତାଙ୍କ ରୁମମେଟ୍ ଦେଇଛନ୍ତି ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା...ସେ କହିଛନ୍ତି, ରଥଯାତ୍ରା ପରଠାରୁ ଟେନସନରେ ରହୁଥିଲେ ତାଙ୍କ ସାଙ୍ଗ...ପ୍ରତି ଦୁଇ ତିନ ଦିନ ଛଡ଼ାରେ ବିଳମ୍ବିତ ରାତି ଯାଏଁ କାନ୍ଦୁଥିଲେ ପୀଡ଼ିତା...ଆତ୍ମାହୁତି ପୂର୍ବ ରାତିରେ ମଧ୍ୟ କାନ୍ଦୁଥିଲେ...ଘଟଣା ଦିନ ପ୍ରିନ୍ସପାଲଙ୍କ ଅଫିସକୁ ତାଙ୍କୁ ସାଙ୍ଗରେ ଯିବା ଲାଗି କହିଥିଲେ