Open Drain / ବିପଦ ସାଜିଲା ମୁକୁଳା ଡ୍ରେନ୍... ଭଦ୍ରକ ବାଇପାସ୍ରେ ଅଘଟଣ

Key Points
ଶାଗ ତୋଳିବାକୁ ଯାଇ ଚାଲିଗଲା ଜୀବନ, ମୁକୁଳା ଡ୍ରେନ୍ରେ ବୁଡ଼ି ମୃତ୍ୟୁ ।
ବିପଦ ସାଜିଲା ମୁକୁଳା ଡ୍ରେନ୍, ଭଦ୍ରକ ବାଇପାସ୍ରେ ଅଘଟଣ ।
ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି...ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ବାଇପାସ ଅଞ୍ଚଳରେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ସହ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ସାଳନ୍ଦୀ କେନାଲ ଡିଭିଜନ ଅଫିସର ପଛପଟ ଦେଇ ଯାଇଥିବା ଏକ ମୁକୁଳା ଡ୍ରେନ ନିକଟକୁ ବାଇପାସ ଅଞ୍ଚଳର ଜଣେ ବ୍ୟକ୍ତି ଶାଗ ତୋଳିବା ପାଇଁ ଯାଇଥିଲେ । ତେବେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ଡ୍ରେନ ଭିତରକୁ ଖସି ପଡ଼ିଥିଲେ । ଡ୍ରେନରେ ପାଣି ଥିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ବାହାରକୁ ଉଠି ନପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏପଟେ ବ୍ୟକ୍ତି ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ପରେ ସ୍ଥାନୀୟ ଲୋକେ ଡ୍ରେନରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ । ଏନେଇ ତୁରନ୍ତ ଭଦ୍ରକ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନରୁ ମୃତଦେହକୁ ଉଦ୍ଧାର କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମୁକୁଳା ଡ୍ରେନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
📱 Get Argus News App
✨Related Topics
Explore more stories