Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତିଶ୍ରୁତି ଦେଇ ପୂରଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରତିଶ୍ରୁତି ଦେଇ ପୂରଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ପ୍ରତିଶ୍ରୁତି ଦେଇ ପୂରଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ମିଳିଲା ବଡ଼ ଅନୁଦାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ସ୍କୁଲକୁ ୮୬.୯୧କୋଟି ଟଙ୍କାର ଅନୁମୋଦନ
ପୂର୍ବରୁ ସ୍କୁଲ ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହେବ ବିଦ୍ୟାଳୟର ବିକାଶ
ନିଷ୍ପତ୍ତିକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ପୂରାତନ ଛାତ୍ରୀ କଲେ ସ୍ବାଗତ

ଅର୍ଗସ ବ୍ୟୁରୋ:  ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ତଥା ନାରୀ ଶିକ୍ଷାର ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଚିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ କେନ୍ଦ୍ରରୁ ମିଳିଛି ବଡ଼ ଅନୁଦାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ ‘ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ଏହି ଅର୍ଥ ଅନୁମୋଦିତ ହୋଇଛି। ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍କୁଲର ଶିକ୍ଷୟିତ୍ରୀ ଓ ପୂରାତନ ବିଦ୍ୟାର୍ଥୀ।

ଗତ ୧୬ ଡିସେମ୍ବର ୨୦୨୩ରେ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ପୂନର୍ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଗତ ୩୧ ଅଗଷ୍ଟ ୨୦୨୪ରେ ସ୍ବାୟତ୍ତ ଶାସନ ଦିବସ ଅବସରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲର ବିଭିନ୍ନ ଅସୁବିଧା ସମ୍ପର୍କରେ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରେଭେନ୍ସା ବାଳିକା ବିଦ୍ୟାଳୟର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି କଟକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପାଇଁ ମଞ୍ଜୁରୀ ହୋଇଥିବା ୮୬.୯୧ କୋଟି ଟଙ୍କା ମଧ୍ୟରୁ ନୂଆ ସ୍କୁଲ ଭବନ ପାଇଁ ୧୪ କୋଟି, ଇନଡୋର୍ ଷ୍ଟାଡିୟମ କିମ୍ବା ବହିମୁଖୀ ସଭାଗୃହ ପାଇଁ ୧୦ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସ୍କୁଲ ବିଲଡିଂ ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ। ସେହିପରି ସ୍କୁଲ ଭବନର ନବୀକରଣ ପାଇଁ ୩.୩୨ କୋଟି, ବିଦ୍ୟାଳୟ ଚାରିପାଖର ବିକାଶ ପାଇଁ ୬.୯୩ କୋଟି, ଷ୍ଟାଫ୍ କ୍ବାର୍ଟର, ସାଇସେଲ ଷ୍ଟାଣ୍ଡ ଓ ଆନୁସଙ୍ଗିକ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗୀତାରେ ଏହି ସ୍କୁଲର ବିକାଶ ଓ ନବୀକରଣ ହେବ।

ଓଡ଼ିଶାରେ ନାରୀ ଶିକ୍ଷା ବିକାଶରେ ରେଭେନ୍ସା ବାଳିକା ସ୍କୁଲର ବଡ ଯୋଗଦାନ ରହିଛି । ଏହି ବିଦ୍ୟାଳୟ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ଶିକ୍ଷାରେ ଲିଙ୍ଗଗତ ସମାନତାକୁ ଆଗେଇ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ କେବଳ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଐତିହାସିକ ପରିଚୟ ସୃଷ୍ଟି କରୁନି ବରଂ ନାରୀ ସଶକ୍ତୀକରଣ ଓ ଶୈକ୍ଷିକ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ମାଧ୍ୟମରେ ପ୍ରେରଣା ଯୋଗାଇ ଚାଲିଛି। ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ବତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ବର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦିଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି। ଏହି ଦୃଷ୍ଟିରୁ ସ୍କୁଲର ଐତିହ୍ୟ ଓ ଭୂମିକାକୁ ହୃଦୟଙ୍ଗମ କରି ଅର୍ଥ ମଞ୍ଜୁର କରାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan fulfilled his promise | Argus News