ସମ୍ବଲପୁରରେ ୫୦ କୋଟି ବ୍ୟୟରେ ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ

Key Points
ସମ୍ବଲପୁରରେ ୫୦ କୋଟି ବ୍ୟୟରେ ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ
ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କହିଲେ, ୫୦ କୋଟି ବ୍ୟୟରେ ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ । ସ୍ଵଚ୍ଛ ସମ୍ବଲପୁର ନାରା ସଫଳ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ । ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲାଙ୍କୁ କଲେ ସହାୟତା ପ୍ରଦାନ ।
ସ୍ବଚ୍ଛତା ପାଇଁ ସମ୍ବଲପୁରରେ ଆରମ୍ଭ ହେଲା ବଡ଼ ମିଶନ । 'ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା' ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡ଼ିର ଶୁଭାରମ୍ଭ କରିବା ସହ ସ୍ବଚ୍ଛତା ମାସ୍କଟର ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୁନିସିପାଲିଟି ଅଫିସରୁ ଜେଲ ଛକ ଯାଏଁ ପଦଯାତ୍ରା ସହ ରାସ୍ତାରେ ଝାଡୁ କଲେ, ଅଳିଆ ଉଠାଇଲେ କେନ୍ଦ୍ରମନ୍ତ୍ରୀ ।
ମୋଦି ସରକାରଙ୍କ ଏକ ବଡ଼ ଯୋଜନାର ଘୋଷଣା ବି କଲେ। ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସମ୍ବଲପୁରରେ ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ । ସ୍ୱଚ୍ଛ ସମ୍ବଲପୁର ପାଇଁ ବ୍ରାଣ୍ଡ ଅମାବସଡର୍ ଭାବେ ସୁନାମଧନ୍ୟ କଳାକାର ଉମାକାନ୍ତ ବାରିକଙ୍କୁ ମନୋନୀତ କରାଯାଇଛି । ଜୁନ ପହିଲାରେ ଶୀତଳ ଷଷ୍ଠୀ ଉତ୍ସବକୁ ନଜରରେ ରଖି ଏବେଠୁ ସହରକୁ ସ୍ୱଚ୍ଛ ରଖିବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସମ୍ବଲପୁର ତପସ୍ଵିନୀ ହଲଠାରେ ଆୟୋଜିତ ଆଉ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମିଶନ ବାତ୍ସଲ୍ୟ ଯୋଜନାରେ ଅନାଥ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କହିଛନ୍ତି, ଅନାଥ ପିଲାଙ୍କ ପାଇଁ ଏହି ଯୋଜନା କରିଛନ୍ତି ପିଏମ୍ ମୋଦି । ଯେଉଁଥିରେ ୧୮ ବର୍ଷ ବୟସ ଯାଏଁ ମାସିକ ୪ ହାଜର ଟଙ୍କାର ସହାୟତା ଦିଆଯାଉଛି । ପୂର୍ବରୁ ଜିଲ୍ଲାର ୧୩୩ ପିଲା ଏହି ଯୋଜନାରେ ସହାୟତା ପାଉଥିବାବେଳେ ଆଜି ଆଉ ୧୬୩ ପିଲାଙ୍କୁ ସାମିଲ କରାଯାଇଛି ।
ଚାଷୀଙ୍କୁ ପିଏମ କିଷାନ ଯୋଜନାର ୧୯ ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରୁ ଭିଡିଓ କନଫରେନ୍ସସିଂ ଜରିଆରେ ଯୋଡ଼ି ହୋଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସିଦ୍ଧେଶ୍ଵର ବାରେନା ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର କମ୍ପ୍ୟୁଟର ଲ୍ୟାବ୍ ଉଦ୍ଘାଟନ କରିଛନ୍ତି ଧର୍ମେନ୍ଦ୍ର । ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆୟୋଜିତ ୧୩ତମ ସର୍ବଭାରତୀୟ ସମ୍ବଲପୁର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ସହ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପାଇଁ ନିର୍ମିତ ସାମ୍ବାଦିକ ଭବନର ପ୍ରଥମ ମହଲାକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।