ପୁରୀରେ ଶଙ୍କରାଚାର୍ଯ୍ୟ ଓ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିଲେ ଦୁଇ ଧର୍ମେନ୍ଦ୍ର

Key Points
ଭଗବାନ ଜଗନ୍ନାଥଙ୍କ କୃପାରୁ ସବୁ ଭକ୍ତଙ୍କ ଯାତ୍ରା ସୁଖମୟ ଓ ସୁରକ୍ଷିତ ହେଉ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ।
ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଦୁଇ କେନ୍ଦ୍ର ମନ୍ତ୍ରୀ ଆଶିର୍ବାଦ ନେଇଥିଲେ ।
ମହାପ୍ରଭୁଙ୍କ ସାନିଧ୍ୟ ଲାଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ । ଗୋବର୍ଧନପୀଠ ଶଙ୍କରାଚାର୍ଯ୍ୟ ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ । ଇଣ୍ଟ୍ରିଗ୍ରେଟେଡ କମାଣ୍ଡ କଂଣ୍ଟ୍ରୋଲ ସେଣ୍ଟର ବୁଲି ଦେଖିବା ସହ ଭୁରି ଭୁରି ପ୍ରଶଂସା କଲେ ଧର୍ମେନ୍ଦ୍ର ଓ ଗଜେନ୍ଦ୍ର ।
ଯେତେବେଳେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ରଥାରୁଢ଼ ହେଉଥିଲେ, ସେତେବେଳେ ସାରା ବିଶ୍ବ ଏହି ମୂହୁର୍ତ୍ତକୁ ବେଶ ଭାବବିହ୍ବଳତାର ସହ ଦେଖୁଥିଲା । ବିଶ୍ବନିୟନ୍ତାଙ୍କ ଦର୍ଶନ ପାଇଁ ଆଜି ପୁରୀରେ ପହଂଚିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାଓ୍ବତ । ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ରକ୍ଷାକର୍ତ୍ତା । ତାଙ୍କର ଲୀଳା ଅପାର । ଜାତି, ଧର୍ମ, ବର୍ଣ୍ଣ, ବିଶ୍ୱାସ ନିର୍ବିଶେଷରେ ସେ ସମସ୍ତଙ୍କର ନାଥ । ଆଜି ବଡ଼ଦାଣ୍ଡରେ ରଥାରୂଢ଼ ଚକାନୟନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରିବା ମୋର ସୌଭାଗ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭଗବାନ ଜଗନ୍ନାଥଙ୍କ କୃପାରୁ ସବୁ ଭକ୍ତଙ୍କ ଯାତ୍ରା ସୁଖମୟ ଓ ସୁରକ୍ଷିତ ହେଉ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ।
ରଥଯାତ୍ରାର ଶୁଭ ଅବସରରେ ପୁରୀରେ ଜଗଦଗୁରୁ ପରମପୂଜ୍ୟ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । ଧର୍ମେନ୍ଦ୍ର କହିଛନ୍ତି ଜଣେ ଆଧ୍ୟାତ୍ମିକ ଗୁରୁ, ଶିକ୍ଷାବିତ, କବି, ଲେଖକ, ଦାର୍ଶନିକ ଭାବେ ତାଙ୍କର ମାର୍ଗଦର୍ଶନ ପାଇ ମୁଁ ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ସେହିପରି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଦୁଇ କେନ୍ଦ୍ର ମନ୍ତ୍ରୀ ଆଶିର୍ବାଦ ନେଇଥିଲେ ।
ଇଣ୍ଟ୍ରିଗ୍ରେଟେଡ କମାଣ୍ଡ କଂଣ୍ଟ୍ରୋଲ ସେଣ୍ଟର ବୁଲି ଦେଖିଥିଲେ ଧର୍ମେନ୍ଦ୍ର ଓ ଗଜେନ୍ଦ୍ର । ଓଡ଼ିଶା ପୋଲିସ ଏବଂ ଆଇଜି ଡ୍ରୋନ ଷ୍ଟାଟଅପର ମିଳିତ ଉଦ୍ୟମରେ ସୁରକ୍ଷା ବ୍ୟବସ୍ଥା ଉପରେ କିପରି ନଜର ରଖାଯାଇଛି ତାହା ପରଖିଥିଲେ । ସୁରକ୍ଷା କ୍ଷେତ୍ରରେ ଏହି ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଏହି ପବିତ୍ର ଅବସରରେ ଦୁଇ କେନ୍ଦ୍ର ମନ୍ତ୍ରୀ, ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସହିତ ମିଶି ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରତଯାତ୍ରା ଅବସରରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ପିଏମ । ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ବୋଲି ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ରାଷ୍ଟ୍ରପତି ।