“ଏକ୍ ପେଡ୍ ମା’ କେ ନାମ ୨.୦”ରେ ବୃକ୍ଷରୋପଣ ଅଭିଯାନରେ ସାମିଲ୍ ହେଲେ କେନ୍ଦ୍ର ମନ୍ତ୍ରୀ

Key Points
ଅନୁଗୋଳରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ଲକ୍ଷ ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଗୁରୁବାର ୫୩ କୋଟି ଟଙ୍କା ମୂଲ୍ୟର ୫୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଛି ।
ଗରିବଙ୍କ ସାମୂହିକ ବିକାଶ ପାଇଁ ବଦ୍ଧ ପରିକର ଡବଲ ଇଞ୍ଜିନ ସରକାର । ଛେଣ୍ଡିପଦାରେ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ମୋଦି ସରକାରରେ ବଜେଟ ବ୍ୟୟବରାଦ ଅର୍ଥ ଜନସେବା ପାଇଁ । ସରକାର- ଜନତା ମଧ୍ୟରେ ଦୂରତା ହ୍ରାସ କରିବାକୁ କଟିବଦ୍ଧ ଡବଲ ଇଞ୍ଜିନ ସରକାର । “ଏକ୍ ପେଡ୍ ମା’ କେ ନାମ ୨.୦”ରେ ବୃକ୍ଷରୋପଣ ଅଭିଯାନରେ ସାମିଲ୍ ହେଲେ କେନ୍ଦ୍ର ମନ୍ତ୍ରୀ ।
ଅନୁଗୋଳ ଛେଣ୍ଡିପଦାରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପ୍ରାୟ ୪୪.୮୮ କୋଟି ମୂଲ୍ୟର ୩୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮.୯ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ । ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ନିର୍ବାଚନ ସମୟରେ ଦିଆଯାଉଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି । ଗୁରୁବାର ୫୩ କୋଟି ଟଙ୍କା ମୂଲ୍ୟର ୫୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଛି ।
ଏହାପୂର୍ବରୁ ତାଳଚେର ସ୍ଥିତ ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ତଥା ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସ୍କୁଲରେ ତାଙ୍କ ଜୀବନର ପ୍ରାଥମିକ ଶିକ୍ଷା ଗ୍ରହଣ ହୋଇଥିଲା । ଏହାସହ ହାଣ୍ଡିଧୁଆ ଗାଁରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଧୀନରେ ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନ ମହୋତ୍ସବ-୨୦୨୫ରେ ଯୋଗ ଦେଇଥିଲେ ।
ଅନୁଗୋଳରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ଲକ୍ଷ ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଅନୁଗୋଳ ବନଖଣ୍ଡର ପଦକ୍ଷେପ ଅନ୍ତର୍ଗତ ଭ୍ରାମ୍ୟମାଣ ଚାରା ବିତରଣ ରଥ, ସୂଚନା ରଥ, ସବୁଜ ଅନୁଗୋଳ ମୋବାଇଲ ଆପ୍ ଓ ଅନ୍ୟାନ୍ୟ ପୋର୍ଟାଲ ଆଦି ଶୁଭାରମ୍ଭ କରିଥିଲେ ।
ତାଳଚେର ତେଲିସାହି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା’ ହିଙ୍ଗୁଳାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।