Business Network International / ବ୍ୟବସାୟୀଙ୍କ ମଧ୍ୟରେ ସୁସମ୍ପର୍କ-ଭାଇଚାରା-ଭଲପାଇବା ପାଇଁ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ

Key Points
ହେଲେ ଖେଳାଳିମାନେ ପୁରା ଜି-ଜାନ୍ ଲଗାଇ ଖେଳୁଛନ୍ତି ।
ସାରା ଭାରତ କ୍ରିକେଟ ପ୍ରେମୀ । ସହର ହେଉ କି ଗାଁ... ଗଳି କନ୍ଦିରେ, ଛୋଟ ପିଲାଠାରୁ ଆରମ୍ଭ କରି ଯୁବକଙ୍କ ପର୍ଯ୍ୟନ୍ତ, ସମସ୍ତେ କ୍ରିକେଟ ଖେଳିବାକୁ ଖୁବ୍ ଭଲ ପାଆନ୍ତି । ଭାରତରେ କ୍ରିକେଟ ପ୍ରତି ଖୁବ୍ କ୍ରେଜ୍ ରହିଛି । ଏହି ଖେଳ ଏବେ କେବଳ ଆଉ ପୁଅ ପିଲାଙ୍କ ମଧ୍ୟରେ ସୀମିତ ନାହିଁ । ଝିଅମାନେ ମଧ୍ୟ କ୍ରିକେଟ ଖେଳିବାକୁ ଖୁବ୍ ଆଗଭର ହେଲେଣି ।
ଏହି କ୍ରିକେଟ କ୍ରେଜିନେସ ପାଇଁ ଭାରତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ IPL ଖେଳାଯାଉଛି । ଖୁବ୍ ଟଙ୍କା ଖର୍ଚ୍ଚ ହେଉଛି । ପାଖାପାଖି ଦେଢ଼ ମାସ ପର୍ଯ୍ୟନ୍ତ ଏହି IPL ଚାଲେ । ତେବେ IPLରେ ତ କେବଳ ପ୍ରଫେସ୍ନାଲ କ୍ରିକେଟର ହିଁ ଖେଳନ୍ତି । କିନ୍ତୁ ଆପଣ ଜାଣିଥିବେ ସେଲିବ୍ରିଟି ମାନେ ମଧ୍ୟ କ୍ରିକେଟ ଖେଳନ୍ତି । ଦେଶର ବିଭିନ୍ନ ଫିଲ୍ମ ଇଣ୍ଟଷ୍ଟ୍ରିର କଳାକାରମାନେ ମିଶି କ୍ରିକେଟ ଖେଳନ୍ତି । ସେମାନଙ୍କର ଏହି ଟୁର୍ଣ୍ଣାମେଣ୍ଟକୁ ସେଲିବ୍ରିଟି କ୍ରିକେଟ ଲିଗ୍ କୁହାଯାଏ । ଏହାର ମଧ୍ୟ ଢେର କ୍ରେଜ୍ ରହିଛି ।
ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ କଥା କହିବୁ, ତାହା ଆପଣଙ୍କୁ ନିଶ୍ଚିତ ଭାବେ ଅଶ୍ଚର୍ଯ୍ୟ କରିବ । କାରଣ ଏହି ଟୁର୍ଣ୍ଣାମେଣ୍ଟ ହାର୍ ଜିତ୍ ପାଇଁ ନୁହେଁ, କିମ୍ବା ଟଙ୍କା କମେଇବା ପାଇଁ ନୁହେଁ । ଏହା କେବଳ ବନ୍ଧୁତ୍ୱ ବଢ଼ାଇବା ପାଇଁ ଖେଳାଯାଉଛି । ଏଥିରେ ନା ଅଛି ଇର୍ଷା ନା ଅଛି ରାଗ । ଏଥିରେ କେବଳ ଭଲ ପାଇବା ଭରି ରହିଛି । କେହି କାହାରିକୁ ବିପକ୍ଷ ବୋଲି ମଧ୍ୟ ଭାବନ୍ତି ନାହିଁ ।
ସବୁଠାରୁ ବଡ଼ କଥା ହେଲା, ଖୁବ୍ ଜାକଜମକରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଲାଇଟ ଲାଗିଛି, ମାଇକ୍ ବି ଲାଗିଛି, ଚିୟର ଗାର୍ଲସ ବି ନାଚୁଛନ୍ତି । ଡିଜେ ସାଉଣ୍ଡରେ ଦୁଲୁକୁଛି ପୁରା ଗ୍ରାଉଣ୍ଡ । ଅମ୍ପାୟାର ବି ଅଛନ୍ତି, ସ୍କୋରବୋର୍ଡ ବି ଚାଲିଛି । ବିଭିନ୍ନ ଦଳର ଖେଳାଳିଙ୍କ ଡ୍ରେସ୍ କୋଡ୍ ବି ଭିନ୍ନ ଭିନ୍ନ ରହିଛି । ଖେଳାଳିଙ୍କ ବିଶ୍ରାମ ପାଇଁ ତମ୍ବୁ ମଧ୍ୟ ଲାଗିଛି । ସବୁ କିଛି ପ୍ରଫେସନାଲ ଟୁର୍ଣ୍ଣାମେଣ୍ଟ ଭଳି ଦୃଶ୍ୟମାନ ହେଉଛି । ହେଲେ ସେହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଖେଳାଳିମାନେ ପ୍ରଫେସନାଲ ନୁହନ୍ତି । କିନ୍ତୁ ସେମାନେ ପୁରା ଜି-ଜାନ୍ ଲଗାଇ ଖେଳୁଛନ୍ତି ।
ଏହି ଖେଳାଳିମାନେ ହେଲେ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ୟବସାୟୀମାନେ । ଏହି ଟୁର୍ଣ୍ଣାମେଣ୍ଟକୁ କୁହାଯାଉଛି, ଉଦ୍ୟୋଗୀଙ୍କ କ୍ରିକେଟ୍ ମ୍ୟାଚ୍। ଓଡିଶାର ବିଭିନ୍ନ ସ୍ଥାନର ଉଦ୍ୟୋଗୀଙ୍କୁ ନେଇ ଆରମ୍ଭ ହୋଇଛି ଏହି କ୍ରିକେଟ୍ ମ୍ୟାଚ୍। ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ରେ ୬ ଓ ୭ ତାରିଖ ଦୁଇଦିନ ଧରି ଏହି କ୍ରିକେଟ୍ ମ୍ୟାଚ୍ ଚାଲିବ।
ବିଜିନେସ୍ ନେଟ୍ଓ୍ବାର୍କ ଇଣ୍ଟରନ୍ୟାସନାଲ୍ ଅର୍ଥାତ୍ BNI ଆନୁକୂଲ୍ୟରେ ଏହି ବୃହତ ପ୍ରତିଯୋଗିତା ଆରମ୍ଭ ହୋଇଛି । ବିଏନ୍ଆଇ ଓଡିଶା ଚାପ୍ଟରର ୧୦ଟି ଦଳ ଏହି କ୍ରିକେଟ୍ ମ୍ୟାଚ୍ରେ ଅଶଂଗ୍ରହଣ କରିଛନ୍ତି । ୮ ଓଭର ବିଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳ ମଧ୍ୟରେ ପୁରୀରୁ ପ୍ରତିନିଧିତ୍ବ କରୁଥିବା ଦଳର ନାମ ରହିଛି ନୀଳାଦ୍ରି । ସେହିଭଳି ଅନ୍ୟ ଜିଲ୍ଲାରୁ ଆସିଥିବା ଟିମ୍ ଗୁଡ଼ିକର ନାଁ ରହିଛି, ଆଚିଭର୍ସ, ଭିକ୍ଟୋରୀ, ଧନୂଷ, ବିବାନ୍ତ, ଭିଜନ୍, ଭାଇବ୍ରାଣ୍ଟ, ଧଉଳି, ଭିଣ୍ଟେଜ୍ ଓ ଡ୍ୟାଜେଲ୍ସ । ପୁରୀରେ ପ୍ରଥମ ଥର ପାଇଁ ଏଭଳି କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି।
ଏହି ପ୍ରତିଯୋଗିତା ରାଜ୍ୟର ବ୍ୟବସାୟୀମାନଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ସମ୍ପର୍କ ସେମାନଙ୍କୁ ନିଜ ନିଜର ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବାରେ ସହାୟକ ହେବ ।
📱 Get Argus News App
✨Related Topics
Explore more stories