ସହରାଞ୍ଚଳର ସମସ୍ୟା ଦୂର ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ୧୯୨୯, ସମସ୍ୟା ଜଣାଇଲେ ହେବ ତୁରନ୍ତ ଆକ୍ସନ

Key Points
ଏକ ଟୋଲ୍ ଫ୍ରି ନମ୍ବର-୧୯୨୯ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନମ୍ବରକୁ 'ସହର ସାଥି' ବୋଲି ନାମିତ କରାଯାଇଛି । ଏହାଦ୍ଵାରା ଲୋକମାନେ ପୌରପାଳିକା କାର୍ଯ୍ୟାଳୟକୁ ନ ଯାଇ ଏହି ନମ୍ବରରେ ଫୋନ କଲେ, ସମସ୍ୟାର ସମାଧାନ କରାଯିବ ।
ଭୁବନେଶ୍ଵର: ୨୦୨୬ ଏପ୍ରିଲ୍ ଶେଷ ସୁଦ୍ଧା ବନ୍ଦ ହେବ ରାଜ୍ୟର ସମସ୍ତ ମୁକୁଳା ଡ୍ରେନ୍ ଏବଂ ଗର୍ତ୍ତମୁକ୍ତ ହେବ ପୌରାଞ୍ଚଳ । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ, ପ୍ରଶ୍ନ କିମ୍ବା ପ୍ରସ୍ତାବ ପାଇଁ ଏକ ଟୋଲ୍ ଫ୍ରି ନମ୍ବର-୧୯୨୯ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ନମ୍ବରକୁ 'ସହର ସାଥି' ବୋଲି ନାମିତ କରାଯାଇଛି । ଏହାଦ୍ଵାରା ଲୋକମାନେ ପୌରପାଳିକା କାର୍ଯ୍ୟାଳୟକୁ ନ ଯାଇ ଏହି ନମ୍ବରରେ ଫୋନ କଲେ, ସମସ୍ୟାର ସମାଧାନ କରାଯିବ । ଏହି ସେବା ୨୪ ଘଣ୍ଟା ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ 'ନ୍ୟାସନାଲ କମନ୍ ମୋବିଲିଟି କାର୍ଡ'ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ସୁବିଧା ଆଗାମୀ ଦିନରେ OSRTC ବସ୍ ମାନଙ୍କରେ ଲାଗୁ କରାଯିବ ।
'ଆମ ବସ୍' ବୁକିଂ କରିବା ପାଇଁ ଏକ ହ୍ଵାଟ୍ସଆପ୍ ଟିକେଟିଂ ସେବା ମଧ୍ୟ ଆରମ୍ଭ କରିଛନ୍ତି ସିଏମ୍ । ଏହି ଡିଜିଟାଲ ଟିକେଟରେ ମହିଳାମାନଙ୍କ ପାଇଁ ୧୫ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ପାଇଁ ୧୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି । ଏଥିସହ ପ୍ରାୟ ୧୦୯ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୪୩ଟି ବହୁମୁଖୀ ଭବନର ଲୋକାର୍ପଣ କରିବା ସହିତ ଭୁବନେଶ୍ୱର ମହାନଗର ନିଗମ ପାଇଁ ହ୍ୱାଟ୍ସଆପ୍ ବଟ୍ ସେବା ଆରମ୍ଭ ହୋଇଛି ।
📱 Get Argus News App
✨
ସହରୀ ବିକାଶ ଯୋଜନାର ଲୋଗୋ ଉନ୍ମୋଚିତ ହେବା ସହ ୧୨ କୋଟି ଟଙ୍କା ବିନିଯୋଗରେ ପଳାଶୁଣିରେ ଏକ ସାମଗ୍ରୀ ପୁନରୁଦ୍ଧାର ସୁବିଧା ଏବଂ ପ୍ରାୟ ୬ କୋଟି ଟଙ୍କା ବିନିଯୋଗରେ ଗାଡକଣରେ ପ୍ଲାଜ୍ମା ପାଇରୋଲିସିସ୍ ୟୁନିଟ୍ ସୁବିଧାର ଶୁଭାରମ୍ଭ କରାଯାଇଛି ।