ବାଇକ୍ ଚଳାଇବା ବେଳେ BIS ସାର୍ଟିଫାଏଡ୍ ହେଲମେଟ୍ ବ୍ୟବହାର ବାଧ୍ୟତାମୂଳକ

Key Points
ବାଇକ୍ ଆରୋହୀଙ୍କ ପାଇଁ ଆସିଲା ବଡ଼ ନିୟମ
ବାଇକ୍ ଚଳାଇବା ବେଳେ BIS ସାର୍ଟିଫାଏଡ୍ ହେଲମେଟ୍ ବ୍ୟବହାର ବାଧ୍ୟତାମୂଳକ
ଅନ୍ୟ ହେଲମେଟ୍ ନିର୍ମାଣ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର
ବିନା ସାର୍ଟିଫାଏଡ୍ ହେଲମେଟ୍ ବିକ୍ରି ଉପରେ ବି ଲାଗିଲା ରୋକ୍
ବିନା ସାର୍ଟିଫାଏଡ୍ ହେଲମେଟ୍ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ ପାଇଁ ନିର୍ଦ୍ଦେଶ
ବଢୁଛି ଜନସଂଖ୍ୟା, ବଢୁଛି ଯାନବାହାନ ଆଉ ତାକୁ ତାଳ ଦେଇ ବଢୁଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଉଛି ଦୁର୍ଲଭ ଜୀବନ। ବାଇକ୍ ଦୁର୍ଘଟଣାରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ଲେଖାଯାଇଛି ଚିଠି । କୁହାଯାଇଛି ଦୁଇ ଚକିଆ ଚଳାଇବା ବେଳେ ସୁରକ୍ଷା ପାଇଁ କେବଳ BIS ସାର୍ଟିଫାଏଡ୍ ହେଲମେଟ୍ ବ୍ୟବହାର କରିବାକୁ ହେବ । BIS ପ୍ରମାଣପତ୍ର ବିନା ହେଲମେଟ୍ ନିର୍ମାଣ କିମ୍ବା ବିକ୍ରୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ଆହୁରି କୁହାଯାଇଛି ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଅନେକ ହେଲମେଟରେ ବାଧ୍ୟତାମୂଳକ BIS ପ୍ରମାଣପତ୍ର ନ ଥାଏ। ଯାହା ଗ୍ରାହକଙ୍କ ପାଇଁ ସାଂଘାତିକ ବିପଦ ସୃଷ୍ଟି କରୁଛି ଏବଂ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନି ହେଉଛି। ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ଚଢ଼ାଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ଆଗକୁ ଚଢ଼ାଉ ଜୋର ଦାର ହେବ ।
ଏପଟେ ଖୋଦ୍ ରାଜ୍ୟ ରାଜଧାନୀରେ ଖୁଲମଖୁଲା ବିକ୍ରି ଚାଲିଛି ବିନା ସାର୍ଟିଫାଏଡ୍ ହେଲମେଟ୍ । କାହିଁକି ଏହି ହେଲମେଟ୍ ବିକ୍ରି ହେଉଛି ପଚାରିବାରୁ ବ୍ୟବସାୟୀ କହୁଛନ୍ତି କମ୍ପାନୀ ତିଆରି କରୁଛନ୍ତି, ଲୋକେ କିଣୁଛନ୍ତି ଆମେ ବିକିବୁ । କେହି ଆମର କିଛି କରି ପାରିବେ ନାହିଁ । ଏପରିକି ସରକାରଙ୍କ ନିଷ୍ପତିକୁ ବି ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି ବ୍ୟବସାୟୀ ।
ଦେଶରେ ଏବେ ୨୧ କୋଟି ରୁ ଅଧିକ ଦୁଇ ଚକିଆ ଯାନ ଗଡୁଛି । ତେବେ ଅନେକ ଯାତ୍ରୀ BIS ସାର୍ଟିଫାଏଡ୍ ହେଲମେଟ୍ ବ୍ୟବହାର ନ କରି ରାସ୍ତା କଡରେ ମିଳୁଥିବା ଚାଲୁ ହେଲମେଟ୍ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣା ସମୟରେ ମୂଲ୍ୟବାନ ଜୀବନ ହରାଉଥିବା ଦେଖା ଦେଉଛି । ତେଣୁ ଲୋକଙ୍କ ସୁବିଧା ପାଇଁ BIS, BIS କେୟାର ଆପ୍ ଏବଂ BIS ପୋର୍ଟାଲରେ ଏକ ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା ହେଲମେଟ ନିର୍ମାତା ଲାଇସେନ୍ସପ୍ରାପ୍ତ କି ନାହିଁ ତାହା ଯାଞ୍ଚ କରାଯାଇପାରିବ ଏବଂ ବ୍ୟବହାରକାରୀମାନଙ୍କୁ BIS କେୟାର ଆପ୍ ରେ ଅଭିଯୋଗ ଦାଖଲ କରିବାକୁ ମଧ୍ୟ ଅନୁମତି ଦିଆଯିବ।