Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Utkal Divas / ଆଜି ଉତ୍କଳ ଦିବସ... ଆଜି ତାରିଖରେ ଗଠନ ହୋଇଥିଲା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ

Rashmita Mishra
Browse all articles by Rashmita Mishra
·3 months ago·3 min read
ଆଜି ଉତ୍କଳ ଦିବସ... ଆଜି ତାରିଖରେ ଗଠନ ହୋଇଥିଲା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ
Utkal Divas

Key Points

''ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ''
ଆଜି 'ଉତ୍କଳ ଦିବସ'। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ବିଶ୍ୱ ମାନଚିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲା । ମଧୁବାବୁ, ଗୋପବନ୍ଧୁ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବରପୁତ୍ରଙ୍କ ଅଦମ୍ୟ ସଂଗ୍ରାମର ଫଳସ୍ୱରୂପ ଆଜି ଆମେ ଏକ ସ୍ୱତନ୍ତ୍ର ଅସ୍ମିତା ନେଇ ଗର୍ବ କରୁଛୁ ।

ତେବେ ଗଠନର ୯୦ ବର୍ଷ ପରେ, ଆଜି ଆମ ସାମ୍ନାରେ ରହିଛି ଅନେକ ପ୍ରଶ୍ନ ଓ ଆହ୍ୱାନ । ୨୦୩୬ ଶତବାର୍ଷିକୀ ଆଡ଼କୁ ଆଗେଇ ଚାଲିଥିବା ଓଡ଼ିଶା କେବେ ସମ୍ପୂର୍ଣ୍ଣ ଦାଦନ ମୁକ୍ତ ହେବ ? କେବେ ଆମର ଖଣିଜ ସମ୍ପଦ ଓ ପର୍ଯ୍ୟଟନର ପ୍ରାଚୁର୍ଯ୍ୟ ଓଡ଼ିଶାକୁ ଏକ 'ବିକଶିତ ରାଜ୍ୟ'ର ମାନ୍ୟତା ଦେବ? ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ନୂତନ ବିକାଶର ପରିଭାଷାକୁ ନେଇ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା...

ସ୍ଵଭାବ କବି ଗଙ୍ଗାଧର ମେହେରାଙ୍କ କଲମରୁ ଯେବେ ଏହି ପଂକ୍ତି ଝରିଥିବ...ସେ ସ୍ବପ୍ନରେ ସୁଦ୍ଧା ଭାବିନଥିବେ...ତାଙ୍କ ଭଳି ଓଡ଼ିଆ ବିଦ୍ଵାନଙ୍କ ଜନ୍ମମାଟିରେ ଏହି ପଂକ୍ତିଟି ବସ୍ତବତାର ରୂପ ନେବ । ଓଡ଼ିଶା, ଏକ ଏମିତି ରାଜ୍ୟ ଯେଉଁଠି ଭାଷାର ରକ୍ଷା ପାଇଁ ହୋଇଛି ସଂଘର୍ଷ, ସଂଗ୍ରାମ । ଓଡ଼ିଆ ଭାଷାର ଆତ୍ମାକୁ ବଞ୍ଚାଇ ରଖିବା ପାଇଁ ଦଶନ୍ଧି ଦଶନ୍ଧି ଧରି ଲଢ଼ିଛନ୍ତି ଉତ୍କଳ ଜନନୀର ସନ୍ତାନ । ପ୍ରତିଟି ଓଡ଼ିଆ ଗର୍ବରେ କହେ ଆମେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ।

୧୯୩୬ ମସିହା ଏପ୍ରିଲ ୧, ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ଦିନ...ଯାହାକୁ ନେଇ ଗର୍ବ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ...ଏହି ଦିନ ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଆଜି ଉତ୍କଳ ଦିବସ...ଆଜି ତାରିଖରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ...ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇ ଜନ୍ମ ନେଇଥିଲା ଆମ ଓଡ଼ିଶା... ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ ।

ଏହି ଦିନ ୬ଟି ଜିଲ୍ଲାକୁ ନେଇ ଗଠନ ହୋଇଥିଲା ଓଡ଼ିଆ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ...ମୟୂରଭଞ୍ଜରୁ ମାଲକାନଗିରି, ନୂଆପଡ଼ାରୁ କେନ୍ଦ୍ରାପଡ଼ା, ଆଜି ଯାହା ମାତ୍ର ୩୦ ଜିଲ୍ଲା ଭିତରେ ଆବଦ୍ଧ । ଦିନ ଥିଲା ଏହି ଉତ୍କଳ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଥିଲା ପରିବ୍ୟାପ୍ତ ।

ସ୍ବତନ୍ତ୍ର ଓଡ଼ିଶା ଗଠନରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ ଆମ ମାଟିର ବୀରପୁତ୍ର...ଆଜି ସେହି ବୀରପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ... ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପରିଚୟ ପାଇଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି ।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୟା ଭିତରେ ପୁରିଲାଣି ୯୦ ବର୍ଷ ।୨୦୩୬ ହେବ ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ । ଆଉ ମାତ୍ର ୧୦ ବର୍ଷ, ୟା ଭିତରେ ରଖାଯାଇଛି ବଡ଼ ଲକ୍ଷ୍ୟ । ୨୦୬୩ ସୁଦ୍ଧା ବିକଶିତ ହେବ ଓଡ଼ିଶା ।

ଅମାପ ଖଣିଜ, ସୁଦୀର୍ଘ ବେଳାଭୂମି, ଜଳ ଓ ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ କ୍ଷେତ୍ର, ଐତିହ୍ୟ, କଳା ଭାସ୍କର୍ଯ୍ୟ ସବୁଥିରେ ରହିଛି ଓଡ଼ିଶାର ପ୍ରାଚୁର୍ଯ୍ୟ । ବିକଶିତ ହେବାର ଅଛି ସବୁ ସମ୍ଭାବନା ଓ ସାମର୍ଥ୍ୟ । କିନ୍ତୁ ପୂର୍ବ ସରକାର ଅମଳରେ ସମ୍ବଳର ଅସଦବିନିଯୋଗ, ଇଚ୍ଛାଶକ୍ତିର ଅଭାବ ଓ ଅମାପ ଦୁର୍ନୀତି ଯୋଗୁଁ ବିକାଶର ଦୌଡ଼ରେ ପଛରେ ରହିଯାଇଛି ଆମ ରାଜ୍ୟ । ବିଜେଡିର 24 ବର୍ଷର ଶାସନର ଅନ୍ତ ପରେ 24 ମସିହାରେ ଓଡ଼ିଶାରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ବିକଶିତ ଓଡ଼ିଶା ଗଠନର ସ୍ବପ୍ନକୁ ରଖିଛି ଉଜ୍ଜିବୀତ ।

କେବଳ ଖଣି ରାଜସ୍ବ ଉପରେ ନିର୍ଭରଶୀଳ ନ ରହି ଖଣିଜକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା ଦିଗରେ ହେଉଛି ଉଦ୍ୟମ । ରାଜ୍ୟ ଭିତରେ ଓ ବାହାରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି ନିବେଶକଙ୍କୁ ଆକୃଷ୍ଟ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭାବନାକୁ ବିଶ୍ବସ୍ତରୀୟ କରିବାକୁ ଚାଲିଛି ଉଦ୍ୟମ । କୃଷି, ଶିକ୍ଷା ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ବିକାଶର ନୂଆ ଦିଗନ୍ତ ।

ତଥାପି ଆଜି ଦିନରେ ଉତ୍କଳ ଦିବସ ପାଳନ ସହ ପ୍ରତି ଓଡ଼ିଆଙ୍କ ପାଇଁ ଆତ୍ମସମୀକ୍ଷାର ବେଳ । ଯେଉଁ ଓଡ଼ିଆ ଅସ୍ମିତା, ସ୍ବାଭିମାନର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ତାହା ପାଳନ କରିବାରେ ଆମେ କେତେ ସକ୍ଷମ ? ଓଡ଼ିଆଙ୍କ ଆଗରେ ଆଜି ଅନେକ ଆହ୍ବାନ, ଖଣି ରାଜସ୍ବ ଉପରେ ମାତ୍ରାଧିକ ନିର୍ଭରଶୀଳତା ନ ରଖି ଲେଖିପାରିବା କି ଆତ୍ମନିର୍ଭରଶୀଳତାର ନୂଆ ପରିଭାଷା...କେବେ ସମ୍ପୂର୍ଣ୍ଣ ଭାବେ ଦାଦନ କଳଙ୍କରୁ ମୁକ୍ତ ହେବ ଓଡ଼ିଶା ? ଅଧିକାଂଶ ବିକାଶ ସୂଚକାଙ୍କରେ କେବେ ଅଧିକାଂଶ ରାଜ୍ୟ ଗୁଡ଼ିକଠାରୁ ଆଗକୁ ଯିବ ?




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Utkal Divas | Utkal Divas 2026: Celebrating the Formation of Odisha State | Argus News