ରାଜ୍ୟସାରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଧୂନ୍

ଆଜିଠୁ ପାଳନ ହେଲା ଓଡ଼ିଆ ପକ୍ଷ । ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ । ସତ୍ୟଭାମାପୁରରେ ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ ପାଳନ । ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧ୍ୟ ବାବୁଙ୍କ ସମେତ ସ୍ଵତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କୁ ମାନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଦେଲେ ସିଏମ । ମଧୁବାବୁଙ୍କ ଜନ୍ମପୀଠକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ । ଖର୍ଚ୍ଚ ହେବ 21 କୋଟି ଟଙ୍କା । ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତୁଡିଶାଳର ଉନ୍ନତିକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଏବଂ ସେଠାରେ ଥିବା ଜଳାଶୟରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ସ୍ଥାପନ ଆଦି କରାଯିବ ।
ସମୃଦ୍ଦ ଓଡିଶା ଗଠନର ତିନୋଟି ମୁଖ୍ୟ ଆଧାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ - ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ । ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଛି ବିଜେପି ସରକାର । ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଏପ୍ରିଲ ୧୪ ଅର୍ଥାତ୍ ଓଡ଼ିଆ ନବ ବର୍ଷ ଯାଏଁ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ ହେବ । ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଓଡିଶା ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ରାଜ୍ୟର କୋଣ ଅନୁକୋଣରେ ଆଜି ବେଶ ଧୁମ ଧାମରେ ପାଳିତ ହୋଇଛି ଓଡିଶା ଦିବସ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ବିଧାୟକ ମାନେ ଯୋଗ ଦେଇଥିଲେ ଓଡିଶା ଦିବସ ସମାରୋହରେ। କୋଟିଆରେ ଜିଲ୍ଲା ପ୍ରଶାସନ ପାଳନ କରିଥିଲା ଓଡିଶା ଦିବସ... ଆନ୍ଧ୍ର ସୀମାକୁ ଲାଗିଥିବା ଗ୍ରାମବାସୀଙ୍କୁ ଏକାଠି କରି ଓଡ଼ିଶା ଦିବସ ପାଳନ କରି ଓଡ଼ଆ ଭାଷାକୁ ସୀମାନ୍ତ ବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛି ପ୍ରଶାସନ...ଜିଲ୍ଲା ପ୍ରଶାସନ ସହ ଏହି ସମାରୋହରେ ସାମିଲ ହୋଇଥିଲେ ସ୍ଥାନୀୟ ବିଧାୟକଙ୍କ ସହ କୋରାପୁଟର ବିଧାୟକ ଓ ଅନ୍ୟ ଜନ ପ୍ରତିନିଧି ।