Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୋକଙ୍କ ହୃଦୟରେ ଚିର ଅମର ଉତ୍ତମ

Odisha

ଲୋକଙ୍କ ହୃଦୟରେ ଚିର ଅମର ଉତ୍ତମ

Rashmita Mishra
Browse all articles by Rashmita Mishra
·1 year ago·3 min read
ଲୋକଙ୍କ ହୃଦୟରେ ଚିର ଅମର ଉତ୍ତମ

'ଅଭିମାନ' ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଜଗତକୁ ଆସିଥିଲେ, 'ବିଦ୍ୟାରାଣ' ପକାଇ ଚାଲିଗଲେ । ସେ ଥିଲେ ଓଲିଉଡ଼ର 'ଦଣ୍ଡାବାଳୁଙ୍ଗା', 'ସରପଞ୍ଚ ବାବୁ' । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା । 70ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ । ପରଦା ଉପରେ ହିରୋଇନ ସହ ତାଙ୍କର ରୋମାନ୍ସରେ ହଲରେ ସିଟି ବାଜୁଥିଲା, ତାଙ୍କ ଫାଇଟିଂରେ ଦର୍ଶକଙ୍କ କରତାଳି ପଡୁଥିଲା । ସେ କାନ୍ଦିଲେ ଦର୍ଶକଙ୍କ ଆଖିରେ ଲୁହ ଆସିଯାଉଥିଲା । ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ସେ ପାଲଟିଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର । ତାଙ୍କର ନିଆରା ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟରେ ଦର୍ଶକ ଦିଓ୍ବାନା ।


135 ଓଡ଼ିଆ ଫିଲ୍ମ କରିଛନ୍ତି ଉତ୍ତମ

ମୋଟ 135ଟି ଓଡ଼ିଆ ଫିଲ୍ମ, 30ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମା 'ନୟା ଜେହେର' ରେ କାମ କରିଛନ୍ତି ଉତ୍ତମ। 1977 ମସିହାରେ 'ଅଭିମାନ' ଫିଲ୍ମ ସହ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । 1977ରୁ 2025 ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ । 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ' (1978), 'ସରପଞ୍ଚ ବାବୁ', 'ଜ୍ୱାଇ ପୁଅ' (1982), 'ଝିଅଟି ସୀତା ପରି'(1983), 'ଜନନୀ' (1984), 'ଚକା ଭଉଁରୀ'(1985), 'ଜଗା ହାତରେ ପଘା', 'ମମତା ମାଗେ ମୂଲ', 'ସମୟ ବଡ଼ ବଳବାନ', 'ଶଙ୍ଖା ସିନ୍ଦୂର', 'ଚକା ଆଖି ସବୁ ଦେଖୁଛି', 'ଜୋର ଜାର ମୂଲକ ତାର', 'ଏଇ ଆମ ସଂସାର', 'ପାପ ପୂଣ୍ୟ', 'ଶାସ୍ତି', 'ନୂଆ ଭାଉଜ', 'ତୋ ବିନୁ ଅନ୍ୟଗତି ନାହିଁ', 'ଫୁଲ ଚନ୍ଦନ', 'ଝିଅଟି ସୀତା ପରି', 'ଦଣ୍ଡା ବାଳୁଙ୍ଗା' ଭଳି ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ମନ ଜିତିଛନ୍ତି । 2022 ରିଲିଜ ହୋଇଥିବା 'ବିଦ୍ୟାରାଣ'ରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା ।


48ବର୍ଷ ଧରି ସିନେ ଇଣ୍ଡଷ୍ଟ୍ରିରେ ଉତ୍ତମଙ୍କ ରାଜ

23 ଡିସେମ୍ୱର 1958ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । 'ଅଭିମାନ' ଚଳଚ୍ଚିତ୍ରରୁ ଆରମ୍ଭ ହୁଏ ତାଙ୍କ ଫିଲ୍ମ କ୍ୟାରିୟର । ଦୀର୍ଘ 48 ବର୍ଷ ଧରି ସେ ସିନେ ଇଣ୍ଡଷ୍ଟ୍ରିରେ ରାଜ କରିଥିଲେ । 70 ଦଶକରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ପ୍ରିୟ ହିରୋ ପାଲଟିଥିଲେ । ଉତ୍ତମ ମହାନ୍ତିଙ୍କ ନୂଆ ଫିଲ୍ମ ଆସିବା ଶୁଣିଲେ ହାଉସ୍‌ ଫୁଲ । 135 ଓଡ଼ିଆ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଖାଲି ଓଡ଼ିଆ ଫିଲ୍ମ ନୁହେଁ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଛାପ ରହିଛି । ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ତାଙ୍କୁ 66 ବର୍ଷ ହୋଇଥିବା ବେଳେ ଦୀର୍ଘ 45 ବର୍ଷ ଧରି ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବଳିଷ୍ଠ ଅଭିନୟ ପାଇଁ ସମ୍ମାନ

ଉତ୍ତମ ମହାନ୍ତି ନିଜ କ୍ୟାରିଅରରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବଲ ପୁରସ୍କାର (1999), ଶ୍ରେଷ୍ଠ ଅଭିନେତା ଭାବେ 3ଟି ଓ ସହ ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ସେ 1991 ରେ ରିଲିଜ ଫିଲ୍ମ (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ ସହ- ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । 1982-83-84 ରେ ରିଲିଜ ଫିଲ୍ମ ('ଫୁଲ ଚନ୍ଦନ', 'ଝିଅଟି ସୀତା ପରି', 'ଦଣ୍ଡା ବାଳୁଙ୍ଗା') ପାଇଁ ଶ୍ରେଷ୍ଠ ଅଭିନେତା ଭାବେ 3ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । 2006 ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଓ 2008ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର ପାଇଛନ୍ତି ।


ଉତ୍ତମ ମହାନ୍ତି ବ୍ୟକ୍ତିଗତ ଜୀବନୀ

ହିରୋଇନ ଯିଏବି ହେଉ ତାଙ୍କ ସହ ପୁରା ଫିଟ୍‌ ହେଇଯାଉଥିଲେ ଉତ୍ତମ ମହାନ୍ତି । କିନ୍ତୁ ଅପରାଜିତାଙ୍କ ସହ ତାଙ୍କର ଯୋଡିକୁ ଦର୍ଶକ ଅଧିକ ପସନ୍ଦ କରୁଥିଲେ । ଧିରେ ଧିରେ ଅପରାଜିତାଙ୍କ ପ୍ରେମରେ ପଡିଯାଇଥିଲେ ଉତ୍ତମ । ତାଙ୍କୁ ବିବାହ ପାଇଁ ରାଜି କରାଇବାକୁ ତାଙ୍କୁ 5 ବର୍ଷ ଲାଗିଯାଇଥିଲା । 1987 ମସିହାରେ ଅପରାଜିତା ମହାନ୍ତିଙ୍କୁ ବିବାହ କରିଥିଲେ। ଉଭୟ ଫିଲ୍ମ ଜଗତର ସଫଳ ଯୋଡି। ଉଭୟ ଏକାଠି ଅନେକ ଓଡିଆ ଫିଲ୍ମ ହିଟ୍ ଦେଇଛନ୍ତି।  ଉତ୍ତମଙ୍କ ପରେ ତାଙ୍କ ପୁଅ ବାବୁସାନ ଏବେ ସିନେ ଜଗତରେ ଜଣେ ଚର୍ଚ୍ଚିତ କଳାକାର ହୋଇପାରିଛନ୍ତି । 



Sponsored
uttam Mohanty received the Odisha Living Legend Award in his career | Argus News