Videos
|
Odisha

Odisha Farmer / ଉତ୍ତରପ୍ରଦେଶର ଚର୍ଚ୍ଚିତ ଲାଉ ଏବେ ଓଡ଼ିଶାରେ… ଗଛରେ ଝୁଲୁଛି ୮ ଫୁଟର ଲାଉ

Ritu Das
Browse all articles by Ritu Das
·48 mins ago·2 min read
ଉତ୍ତରପ୍ରଦେଶର ଚର୍ଚ୍ଚିତ ଲାଉ ଏବେ ଓଡ଼ିଶାରେ… ଗଛରେ ଝୁଲୁଛି ୮ ଫୁଟର ଲାଉ
India

Key Points

ଲାଉ ତ ଅନେକ ଦେଖିଥିବେ, ହେଲେ ଏମିତି ଲମ୍ବା ଲାଉ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ଲାଉ ତ ଅନେକ ଦେଖିଥିବେ, ହେଲେ ଏମିତି ଲମ୍ବା ଲାଉ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଉତ୍ତରପ୍ରଦେଶରେ ବେଶ ଚର୍ଚ୍ଚିତ ନରେନ୍ଦ୍ର ଶିବନି ପ୍ରଜାତିର ଲମ୍ବା ଲାଉ ଏବେ ଖୋର୍ଦ୍ଧା ଜିଲ୍ଲାର ମାଟିରେ ଫଳିଛି । ଜିଲ୍ଲାର ସିମୋର ପଞ୍ଚାୟତ ଗଁପୁର ଅଞ୍ଚଳର ଜଣେ ଚାଷୀଙ୍କ ବାଡ଼ିରେ ଝୁଲୁଛି ଏହି ଆକର୍ଷଣୀୟ ଲମ୍ବା ଲାଉ । ଯାହାକୁ ଦେଖିବା ପାଇଁ ଏବେ ଲୋକଙ୍କ ଭିଡ଼ ଜମୁଛି। ସାଧାରଣତଃ ଆମ ଅଞ୍ଚଳରେ ଫଳୁଥିବା ଲାଉ ଗୋଟିଏରୁ ଦେଢ଼ ହାତ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। କିନ୍ତୁ ନରେନ୍ଦ୍ର ଶିବନି ପ୍ରଜାତିର ଲାଉ ଏହାଠାରୁ ଢେର ଅଧିକ ଲମ୍ବା । ଗଛରେ ଝୁଲୁଥିବା ଏହି ଲାଉଗୁଡ଼ିକ ଯେତିକି ଆକର୍ଷଣୀୟ, ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ।

ଏହି ନିଆରା ପ୍ରଜାତିର ଲାଉ ଏବେ ଅଞ୍ଚଳବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଚାଷୀଙ୍କ କହିବା ଅନୁଯାୟୀ, ପ୍ରଥମ ଥର ପାଇଁ ସେ ଏହି ପ୍ରଜାତିର ମଞ୍ଜି ଆଣି ନିଜ ବାଡ଼ିରେ ଲଗାଇଥିଲେ। ହେଲେ ଏତେ ଭଲ ଅମଳ ହେବ ବୋଲି ଆଶା କରି ନଥିଲେ। ଏବେ ଗଛରେ ଗୋଟିଏ ପରେ ଗୋଟିଏ ଲମ୍ବା ଲାଉ ଫଳୁଛି । ଚାଷୀଙ୍କ ଦାବି ଅନୁସାରେ, କମ ସାର, କମ ପାଣି ଓ କମ ଖର୍ଚ୍ଚରେ ଭଲ ଅମଳ ମିଳୁଛି। ବଜାରରେ ମଧ୍ୟ ଏହାର ଚାହିଦା ଭଲ ରହିଛି। ଦେଖିବା ମାତ୍ରେ ଗ୍ରାହକମାନେ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଏହି ନିଆରା ଲାଉ ଦେଖିବା ପାଇଁ ଆଖପାଖ ଗାଁରୁ ଲୋକଙ୍କ ଭିଡ଼ ଲାଗି ରହିଛି। 

କେହି ମୋବାଇଲରେ ଫଟୋ ଉଠାଉଛନ୍ତି ଆଉ କେହି ଭିଡିଓ କରି ଏହାର ସୌନ୍ଦର୍ଯ୍ୟକୁ କଏଦ କରୁଛନ୍ତି । ଅନେକ ଚାଷୀ ଏହି ପ୍ରଜାତିର ମଞ୍ଜି କେଉଁଠୁ ମିଳିବ ବୋଲି ପଚାରିବା ସହ ନିଜ ବାଡ଼ିରେ ଏହାର ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ମତରେ, ଏଭଳି ନୂଆ ଓ ଉନ୍ନତ ପ୍ରଜାତିର ଚାଷ ଅଞ୍ଚଳରେ ଲୋକପ୍ରିୟ ହେଲେ ଚାଷୀମାନେ ଅଧିକ ଆୟର ସୁଯୋଗ ପାଇପାରିବେ । ପାରମ୍ପରିକ ଚାଷ ସହ ନୂଆ ପ୍ରଜାତିର ପରୀକ୍ଷାମୂଳକ ଚାଷ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ଖୋଲିପାରେ । ତେବେ ଉତ୍ତରପ୍ରଦେଶର ଚର୍ଚ୍ଚିତ ଲମ୍ବା ଲାଉ ଏବେ ଖୋର୍ଦ୍ଧା ମାଟିରେ ଫଳିବା ଘଟଣା ଚାଷୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଛି ।

ଏସମ୍ପର୍କରେ ଚାଷୀ ଗଣେଶ୍ୱର ରାଉତ କହିଛନ୍ତି ମୁଁ ହଟିକଲଚର ବିଭାଗରୁ ମଞ୍ଜି ଆଣି ପରୀକ୍ଷା ମୁଳକ ଭାବେ ଆମ ବାଡ଼ିରେ ଲଗାଇଥିଲି । କିନ୍ତୁ ଆଶା ଠାରୁ ଅଧିକ ଲମ୍ବାର ଫଳ ଦେଖି ମୁଁ ଖୁସି ହୋଇଥିଲି ଏବଂ ଆଗାମୀ ବର୍ଷ ସରକାର ସହାୟତା ଯୋଗାଇଦେଲେ ଏହାକୁ ଚାଷ କରିବି । ସେହିଭଳି ସତ୍ୟ ମହାପାତ୍ର କହିଛନ୍ତି ଆମ ଗ୍ରାମର ଗଣେଶ୍ୱର ରାଉତ ଲମ୍ବା ଲାଉ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ଭଲ ଲାଭଦାୟକ ଫସଲ ଆମେ ମଧ୍ୟ ଏହାକୁ ଆଗାମୀ ବର୍ଷ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: