ଜାତୀୟ ଉତ୍ସବ ଭାବେ ପାଳନ ହେବ ଉତ୍କଳକେଶରୀ ଡ. ମହତାବଙ୍କ ୧୨୫ତମ ଜୟନ୍ତୀ

ଅର୍ଗସ ବ୍ୟୁରୋ: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଡକ୍ଟର ହରେକୃଷ୍ଣ ମହତାବଙ୍କର୧୨୫ ତମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରାଯିବ। ବର୍ଷସାରା ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ। ମୋଦି ସରକାରଙ୍କ ଏ ନିଷ୍ପତି ଓଡ଼ିଆ ଅସ୍ମିତା ତଥା ଏହି କିମ୍ବାଦନ୍ତୀ ରାଷ୍ଟ୍ରନାୟକଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି। ତେଣୁ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ୍ସରେ ପୋଷ୍ଟ କରି କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ଉତ୍କଳ କେଶରୀ ଥିଲେ ଏକାଧାରରେ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସାହିତ୍ୟିକ ଓ ସମ୍ବାଦପତ୍ର ପ୍ରତିଷ୍ଠାତା। ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଥିଲେ ପ୍ରକୃତ ଅର୍ଥରେ ଆଧୁନିକ ଓଡ଼ିଶାର ନିର୍ମାତା। ଗଡ଼ଜାତ ମିଶ୍ରଣ ହେଉ କିମ୍ବା ଭୁବନେଶ୍ବରରେ ନୂଆ ରାଜଧାନୀ ପ୍ରତିଷ୍ଠା ଡକ୍ଟର ମହତାବଙ୍କର ଓଡ଼ିଶାକୁ ଶ୍ରଷ୍ଠ ଅବଦାନ। ସେହିପରି ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ୍ ନିର୍ମାଣ, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ଓ ହୀରାକୂଦ ବନ୍ଧ ନିର୍ମାଣରେ ଉତ୍କଳ କେଶରୀଙ୍କର ଥିଲା ମୁଖ୍ୟ ଭୂମିକା। ଓଡ଼ିଶା ଆଲିମ୍ପିକ୍ ଆସୋସିଏସନର ସିଏ ଥିଲେ ପ୍ରତିଷ୍ଠାତା ସଭାପତି। ଉତ୍କଳମାତାର ଏହି ମହାନ ବରପୁତ୍ରଙ୍କ ୧୨୫ ତମ ଜୟନ୍ତୀକୁ ରାଜ୍ୟ ସରକାର ମଧ୍ୟ ବର୍ଷ ସାରା ପ୍ରଭାବୀ ଢଙ୍ଗରେ ପାଳନ ପାଇଁ ନେଇଛନ୍ତି ନିଷ୍ପତ୍ତି। ଏନେଇ ରବିବାର ରାଜ୍ୟ ଅତିଥୀ ଭବନରେ ଜୟନ୍ତୀ ପାଳନ ନେଇ ଗଠିତ କମିଟର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ଭର୍ତ୍ତୃହରି ମହତାବ ଓ ରାଜ୍ୟ ସରକାରଙ୍କର ଏକାଧିକ ମନ୍ତ୍ରୀ ଓ କମିଟିର ଅନ୍ୟ ସଦସ୍ୟମାନେ ଯୋଗଦେଇ ଡକ୍ଟର ମହତାବଙ୍କ ୧୨୫ ତମ ଜୟନ୍ତୀକୁ ସୁନ୍ଦର ଓ ପ୍ରଭାବଶାଳୀ ଢଙ୍ଗରେ ପାଳନ ପାଇଁ ନେଇଥିଲେ ନିଷ୍ପତ୍ତି।
ବୈଠକରେ ନିଷ୍ପତ୍ତି ଅନୁଯାୟୀ ଡକ୍ଟର ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ପ୍ରତିମୂର୍ତ୍ତି ସ୍ଥାପନ ସହ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ। ଭୁବନେଶ୍ବରରେ ନଭେମ୍ବର ୨୩, ୨୪, ୨୫ ତିନି ଦିନ ଧରି ଉତ୍କଳ କେଶରୀଙ୍କ କୃତି ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଡକ୍ଟର ମହାତାବଙ୍କ ଜୀବନର ଅନାଲୋଚିତ ତଥ୍ୟ ଜନମାନସ ସାମ୍ନାକୁ ଆଣିବା ଲାଗି ଗବେଷକମାନଙ୍କୁ ପ୍ରୋତ୍ସାହିତ କରାଯିବ । ଡକ୍ଟର ମହତାବଙ୍କ ବିଭିନ୍ନ ପୁସ୍ତକକୁ ହିନ୍ଦୀ, ଇଂରାଜୀ ଓ ବିଭିନ୍ନ ଆଞ୍ଚଳିକ ଭାଷାରେ ପୁନଃ ପ୍ରାକାଶ କରାଯିବ।
📱 Get Argus News App
✨କମିଟି ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟରେ ମହତାବ ସେଣ୍ଟର ପ୍ରତିଷ୍ଠା ପାଇଁ ଦେଇଥିଲେ ପ୍ରସ୍ତାବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଡକ୍ଟର ମହତାବଙ୍କ ପରି ଜାତୀୟବଦୀ ନେତାଙ୍କ ଜୀବନୀକ॓ ଆଧାର କରି ଓଡ଼ିଆ ଜାତୀୟତାବାଦର ତତ୍ବ ଉପରେ ଆଲୋଚନା ହେବାର ରହିଛି ଆବଶ୍ୟକତା ।