କାମରେ ଆସୁନି ବସୁଧା ଟାଙ୍କି, ଚୂଆ-ନଦୀ ଭରସା

ଧୁ ଧୁ ଖରା... ଆକାଶରୁ ଖସୁଛି ନିଆଁ । ଶୁଖି ଯାଉଛି ଗଳା । ଝାଇଁ ମାରି ଯାଉଛି ମୁଣ୍ଡ । ଗରା, ବାଲ୍ଟି ଧରି ମା, ମାଉସୀ ବାହାରିଛନ୍ତି ପାଣି ଆଣି । ଏମିତି ପାଣି ଆଣି ଯିବାକୁ ଆମେ ବି ପାଞ୍ଚ ଥର ଭାବିବା । କିନ୍ତୁ ଆପଣ ଜାଣନ୍ତି ଏମାନଙ୍କର ଏହା ନିତିଦିନ ଜୀବନର କଥା । ବର୍ଷ ବର୍ଷର ଏ କଷ୍ଟରେ ଆଜି ଯାଏଁ ବି ଫୁଲଷ୍ଟପ୍ ପଡିପାରିନି । ଯାହାକି ସବୁଠୁ ବଡ଼ ବିଡମ୍ବନା । ପାଣି ପାଇଁ ସଂଘର୍ଷର ଏ ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ । ଖଇରପୁଟ ବ୍ଲକର ଆଦିମ ଜନଜାତି ବସବାସ କରୁଥିବା ବଣ୍ଡାଘାଟିରେ ପାନୀୟ ଜଳର ଘୋର ସମସ୍ୟା । ବଣ୍ଡା ଘାଟିର ହଣ୍ଡରାହାଲ ଓ ମୁଦୁଲିପଡା ପଞ୍ଚାୟତରେ ମୋଟ ୩୨ ଗାଁ ରହିଛି । ସରକାରୀ ରେକର୍ଡରେ ଘାଟିରେ ମାତ୍ର ୬୦ରୁ ୭୦ଟି ନଳକୂପ ରହିଛି । ସେଥିମଧ୍ୟରୁ କିଛି ଅଚଳ ରହିଛି ଏବଂ ଆଉ କିଛିରେ ବାହାରୁଥିବା ଗୋଳିଆ ପାଣି ବ୍ୟବହାର ଯୋଗ୍ୟ ନୁହେଁ । ଏଭଳି ସ୍ଥିତିରେ ବାଧ୍ୟ ହୋଇ ଲୋକେ ଝରଣା, ଚୁଆ ଓ ନଦୀ ଉପରେ ନିର୍ଭର ।
ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ତୋହରା ପଞ୍ଚାୟତ ଯୋଗୀଡଙ୍ଗରି ଗାଁରେ ପାନୀୟ ଜଳ କଥା ନକହିଲେ ଭଲ । ପୂର୍ବ ବିଜେଡି ସରକାରରୁ ବସୁଧା ଯୋଜନାରେ ୫୦ ହଜାର ଲିଟର ବିଶିଷ୍ଟ ବିରାଟ ପାଣି ଟାଙ୍କି ଛିଡା ହୋଇଛି । ହେଲେ ଆବଶ୍ୟକତା ପୂରଣ କରିପାରୁନି । ମାତ୍ର ଦୁଇ ଦିନ ପାଣି ଆସିଲା, ତାପରଠୁ କାମରେ ଆସୁନି ଟାଙ୍କି । ଏହି ପଞ୍ଚାୟତରେ ତିନି ଖଣ୍ଡ ଗାଁରେ ୧୪୧୦ ଜଣଙ୍କ ପାଇଁ ୩ଟି ନଳକୂଅ ଅଛି । କିନ୍ତୁ ଗୋଟିଏରୁ ଭଲ ପାଣି ବାହାରୁଥିବାବେଳେ ଅନ୍ୟ ୨ଟିରୁ ଆଇରନ ଯୁକ୍ତ ଗୋଳିଆ ପାଣି ବାହାରୁଛି । ବାଧ୍ୟ ହୋଇ ଗୋଳିଆ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।
📱 Get Argus News App
✨ଆଉ ଏଥିପାଇଁ ଗାଁର ମହିଳାଙ୍କୁ ପ୍ରତିଦିନ ଝାଞ୍ଜି ଖରାରେ ଗରା, ମାଠିଆ ଧରି ଗାଁଠୁ ଦୁଇରୁ ତିନି କିମି ଦୂର ଯିବାକୁ ପଡୁଛି l ସେପଟେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, RWSS JEଙ୍କୁ ଫିଲଡ ଭେରିଫିକେସନ୍ ପାଇଁ କୁହାଯାଇଛି, ରିପୋର୍ଟ ଆସିଲେ ହେବ ତୁରନ୍ତ ସମାଧାନ । ମାର୍ଚ୍ଚ ମାସରେ ପାନୀୟ ଜଳର ଏଭଳି ସମସ୍ୟା । ଆଗକୁ ମେ ମାସରେ କଣ ହେବ ଅବସ୍ଥା, ତାକୁ ନେଇ ଚିନ୍ତାରେ ଦୁର୍ଗମ ଆଦିବାସୀ । 24 ବର୍ଷ ବିଜେଡି ସରକାରର ଦୂରଦୁଷ୍ଟି ଅଭାବ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା , ଏବେ ଭରଷାରେ ବିଜେପି ସରକାର ।