Odisha Politics / ଶାଳୀନତା ଭୁଲିଗଲେ BJD ବିଧାୟକ, ଦେଖନ୍ତୁ ଭିଡିଓ...

Key Points
ବିଜେପି କର୍ମୀଙ୍କୁ ବିଜେଡି ବିଧାୟକଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ । ଅବସର ଥିଲା ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ମହୋତ୍ସବ ମଣ୍ଡେଇ । ମଞ୍ଚରେ ଥିଲେ ନେତା, ମନ୍ତ୍ରୀ ଓ ବିଧାୟକ । ତଳେ ବସି ଶୁଣୁଥିଲେ ଦର୍ଶକ। ଏତିକି ବେଳେ ସ୍ଥାନୀୟ ପ୍ରଶାସନ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ ଡାବୁଗାଁ ବିଧାୟକ । ଯାହାର ପ୍ରତିବାଦ କରିଥିଲେ ମଞ୍ଚତଳେ ଥିବା ବିଜେପି କର୍ମୀ। ଆଉ ତା ପରେ ବିଧାୟକ ମନୋହର ରାନ୍ଧାରୀ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ।
ଜଣେ ଜନପ୍ରତିନିଧି ହୋଇ ଜନସାଧାରଣଙ୍କ ସମ୍ମୁଖରେ ଏଭଳି ଅପଶବ୍ଦ ପ୍ରୟୋଗ କରିଛନ୍ତି ଯେ, ତାକୁ ଶବ୍ଦରେ ବଖାଣିବା ବି ସମ୍ଭବ ନୁହେଁ । ବାକ୍ ଶାଳୀନତା ଭୁଲି ଯାଇଛନ୍ତି ବିଧାୟକ । ସର୍ବସମ୍ମୁଖରେ ନିଜ ତୁଣ୍ଡରେ ସଞ୍ଜମତା ରକ୍ଷା କରିବାକୁ ଉଚିତ୍ ମନେ କରିନାହାନ୍ତି । ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇର ଉଦଯାପନୀ ଉତ୍ସବରେ ଅନ୍ୟ ଅତିଥିଙ୍କ ସହ ଯୋଗ ଦେଇଥିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ।
ନିଜ ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନ ଉପରେ ବର୍ଷିଥିଲେ । ବିଜେଡି ବିଧାୟକ ନିଜକୁ ବାଘ ଛୁଆ ବୋଲି ସମ୍ବୋଧନ କରିବା ସହ ପରୋକ୍ଷରେ ମଞ୍ଚରେ ଉପସ୍ଥିତ ବିଜେପି ନେତାଙ୍କୁ ଛେଳି ଛୁଆ ବୋଲି ଇଙ୍ଗିତ କରିଥିଲେ । ଯାହାକୁ ନେଇ ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । କାରଣ ମଞ୍ଚ ତଳେ ଥିବା ବିଜେପି କର୍ମୀ ତାଙ୍କୁ ଦୃଢ଼ ପ୍ରତିବାଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ରାନ୍ଧାରୀ ନିଜ ଭାଷାଗତ ଶାଳୀନତା ଭୁଲି, ଅଶ୍ଳୀଳ ଭାଷାରେ ବିଜେପି କର୍ମୀଙ୍କୁ ଗାଳିଗୁଲଜ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ନିଜର ଵାକ୍ ଅସଞ୍ଜମତା ପାଇଁ କୌଣସି ଅନୁତାପ ମଧ୍ୟ କରିନାହାନ୍ତି ବିଧାୟକ।
କିଛି ସମୟ ପରେ ନିଜ ଅଭିଭାଷଣ ରଖିବାକୁ ଆସି ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ବିଧାୟକ ରାନ୍ଧାରୀଙ୍କ ବକ୍ତବ୍ୟକୁ ନିନ୍ଦା କରିଥିଲେ। ଅଭିଯୋଗର କାଉଣ୍ଟର କରି ବିଜେଡି ଶାସନର ୨୪ ବର୍ଷରେ ଯାହା ବିକାଶ ହୋଇନଥିଲା, ବର୍ତ୍ତମାନ ୧୭ ମାସରେ ଜିଲ୍ଲାର ତାଠାରୁ ଅଧିକ ଵିକାଶ ହୋଇଥିବା ଯୁକ୍ତି ବାଢ଼ିଥିଲେ।
ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଡାବୁଗାଁର ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କ ଗାଳିଗୁଲଜର ଭିଡିଓ। ଯାହାକୁ ନେଇ ବିଧାୟକଙ୍କୁ ଚାରିଆଡ଼ୁ ନିନ୍ଦା କରାଯାଉଛି।
📱 Get Argus News App
✨Related Topics
Explore more stories