ଭୋଟ୍ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !

ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଏଇ ମହିଳା ଜଣକ ଭୋଟରଙ୍କୁ ବାଧ୍ୟ ବି କରୁଛନ୍ତି । ହେଲେ ସଭାରେ ଯୋଗ ଦେବାକୁ ଏମିତି ଖୁଲମଖୁଲା କେମିତି ଟଙ୍କା ବଣ୍ଟାଯାଉଛି ? ପୋଲିସ କଣ କରୁଛି ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ସ୍ଵଚ୍ଛ ନିର୍ବାଚନ ପାଇଁ ନବୀନ ସବୁବେଳେ ନାରା ଦେଉଛନ୍ତି । ହେଲେ ତାଙ୍କର ଗସ୍ତ ପୂର୍ବରୁ ବିଜେଡି କର୍ମୀମାନେ ଯେମିତି ଭାବେର ଟଙ୍କା ବାଣ୍ଟୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା । କଥା ହେଲା, ସମ୍ବଲପୁରରେ ବିଜେଡିର ସ୍ଥିତି ଆଦୌ ଭଲ ନାହିଁ । ବିଜେପିର ଲୋକପ୍ରିୟତା ଭୟଙ୍କର ଭାବରେ ବଢୁଥିବାରୁ ଚିନ୍ତାରେ ନବୀନ ଅଛନ୍ତି । ସେଇଥି ଲାଗି ତ ଗଡ଼ ବଂଚାଇବାକୁ ଆଜି ସମ୍ବଲପୁର ଗସ୍ତରେ ଅଛନ୍ତି ନବୀନ । କିନ୍ତୁ ଏମିତି ଟଙ୍କା ବଂଟାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ପ୍ରଶ୍ନ କରିଛନ୍ତି, କେତେଦିନ ଏମିତି ଟଙ୍କା ନେଇ ଭୋଟ୍ କିଣିବେ ନବୀନ ବାବୁ ?
ମୋଟ୍ ଉପରେ, ନବୀନଙ୍କ କାର୍ଯ୍ୟକ୍ରମରେ ମହିଳାଙ୍କୁ ପୁଳାପୁଳା ଟଙ୍କା ବଂଟାଯାଉଥିବାର ଭିଡିଓ ଏବେ ଜୋର ଭାଇରାଲ ହେଉଛି । ଯାହାର ଭିଡିଓ Exclusive ଭିଡିଓ ଅର୍ଗସ ହାତରେ ଲାଗିଛି । ଆଉ କ୍ୟାମେରା ଦେଖିବା ପରେ ଛତ୍ର ଭଙ୍ଗ ଦେଇଥିଲେ ମହିଳା । ତେବେ ଟଙ୍କା ବଂଟା ପ୍ରସଙ୍ଗରେ ମହିଳାଙ୍କୁ ପଚାରିବାରୁ ଏହାକୁ ସ୍ୱୀକାର କରିବା ସହ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ୨ ଶହ ଲେଖାଏଁ ଟଙ୍କା ଦିଆଯାଇଥିବା କହିଛନ୍ତି । ତେବେ ସମ୍ବଲପୁରରେ ନବୀନଙ୍କର ଆଜି ମାରାଥନ ପ୍ରଚାର ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏମିତି ସର୍ବସମ୍ମୁଖରେ ଟଙ୍କା ବଂଟାଯିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।
