Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ବାବୁଙ୍କ ଘର ଇଣ୍ଟେରିଅର ଦେଖି ଭିଜିଲାନ୍ସ ଟେରା !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ସରକାରୀ ବାବୁଙ୍କ ଘର ଇଣ୍ଟେରିଅର ଦେଖି ଭିଜିଲାନ୍ସ ଟେରା !

Key Points

ଦୁର୍ନୀତି ଜାଲରେ ରାଜ୍ୟର ମାଳ ମାଳ ସରକାରୀ ବାବୁ
କାଲି ଗିରଫ ହୋଇଥିଲେ 115 ପ୍ଲଟର ମାଲିକ କେନ୍ଦୁପତ୍ର DFO
ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ BMCର କୋଟିପତି ଇଞ୍ଜିନିୟର

ରାଜଧାନୀର ଛାତି ଉପରେ ବ୍ରିଟ୍ କଲୋନୀରେ ଭୁବନେଶ୍ବର ମହାନଗର ନିଗମ ବା BMCର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଜଗନ୍ନାଥ ପଟ୍ଟନାୟକଙ୍କ ରହିଛି ଆଲିସାନ୍ ବଙ୍ଗଳା । ତା ଭିତରେ ଥିବା ସବୁ ସୌକିନ ଜିନିଷପତ୍ର ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଖୋଦ୍ ଭିଜିଲାନ୍ସ ଅଫିସରଙ୍କ ଆଖି ବି ଟେରା ହୋଇଗଲା । ୩ ମହଲା କୋଠାରେ ପ୍ରାୟ ୧୦ ଘଣ୍ଟା ଛାନଭିନ୍ କରିଥିଲା ଭିଜିଲାନ୍ସ ।

କୁବେର ଇଂଜିନିୟରଙ୍କର ୬ଟି ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ରହିଛି ପ୍ରଚୁର ଟଙ୍କା । ଆହୁରି ୨୮ ଲକ୍ଷ ୪୪ ହଜାର ଟଙ୍କା ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିଛନ୍ତି । ଏହାଛଡ଼ା ବାବୁଙ୍କର ଖଣ୍ଡଗିରି ଅଞ୍ଚଳରେ ରହିଛି ତିନି ମହଲା କୋଠା, ବ୍ରିଟ କଲୋନୀରେ ଆଉ ଏକ ଘର, ବାଲିଅନ୍ତା ରଣପୁର ମୌଜାରେ ୧ ଏକର ୫୭ ଡିସମିଲର ବଡ଼ ଫାର୍ମ ହାଉସ । ଏହି ଫାର୍ମ ହାଉସରୁ ଗୋଟିଏ ବନ୍ଧୁକ ସହ ମିଳିଛି ୨ଟି ହରିଣ ଶିଂଗ । ପୁଣି ଫାର୍ମ ହାଉସରେ ରହିଛି ୮୩୩ ବର୍ଗ ଫୁଟର ଗୋଟିଏ ଦୁଇ ମହଲା ବିଲ୍ଡିଂ, କୁକୁଡ଼ା ଫାର୍ମ, ମାଛ ପୋଖରୀ, ଲାଲ ଚନ୍ଦନ, ଡ୍ରାଗନ୍ ଫ୍ରୁଟ୍, ବ୍ଲାକବେରୀ ଓ ଆମ୍ବ ଗଛର ବଗିଚା।

ଦିନକ ତଳେ ଭିଜିଲାନ୍ସ ହାତରେ ଧରାପଡ଼ି ବନ୍ଧା ହୋଇଛନ୍ତି ଆଉ ଜଣେ ସରକାରୀ ବାବୁ କେଉଁଝର କେନ୍ଦୁ ଲିଫ୍ ଡିଭିଜନ DFO ନିତ୍ୟାନନ୍ଦ ନାୟକ । ଯିଏ ଦୁର୍ନୀତି ଟଙ୍କାରେ ପ୍ଲଟ୍ କିଣିବାରେ ଟପିଯାଇଛନ୍ତି ସବୁ ରେକର୍ଡ। ହାତେଇଛନ୍ତି ୧୧୫ଟି ପ୍ଲଟ୍। କେବଳ ନିତ୍ୟାନନ୍ଦ ନୁହନ୍ତି ବିଜେପି ସରକାରର ଗତ ଏକ ବର୍ଷ ଭିତରେ ଧରାପଡ଼ିଛନ୍ତି ଏମିତି ଅନେକ ପ୍ଲଟ୍ ନିଶାଡ଼ି ଦୁର୍ନୀତିଖୋର ବାବୁ। ଜଳସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ ଇଂ ପ୍ରଭାସ ପ୍ରଧାନ ମଧ୍ୟ ପ୍ଲଟ କିଣାରେ ମାରିଛନ୍ତି ସେଞ୍ଚୁରୀ।

ଏକ୍ସାଇଜ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ନାଁରେ ବାହାରିଥିଲା ୫୨ ପ୍ଲଟ୍। OBCC ଚିଫ୍ ଇଞ୍ଜିନିୟର ପ୍ରଦୀପ ରଥ ବି ପ୍ଲଟରେ ମାରିଥିଲେ ହାଫ୍ ସେଞ୍ଚୁରୀ। ଦୁର୍ନୀତି ପ୍ରତି ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା ଖଣ୍ଡାରେ ଶିକାର ହେଲେଣି ଶହେରୁ ଅଧିକ ବଡ଼ ବାବୁ। ଗତ ବର୍ଷକ ଭିତରେ ରାଜ୍ୟର ୬୨ ଜଣ କ୍ଲାସ୍ -୧ ଅଫିସର ଓ ୪୮ ଜଣ କ୍ଲାସ୍ -୨ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ରୁଜୁ କରିଛି ଅପରାଧିକ ମାମଲା।

IAS, ଚିଫ୍ ଇଞ୍ଜିନିୟର ଓ ଜଏଣ୍ଟ କମିଶନର ରାଙ୍କର ବଡ଼ ବଡ଼ ଅଫିସର ପଡୁଛନ୍ତି ଭିଜିଲାନ୍ସ ପଞ୍ଝାରେ। ଯେଉଁମାନେ ବିଜେଡି ଶାସନରେ ପାଲଟିଥିଲେ ଦୁର୍ନୀତିର କଳାପାହାଡ଼ ଏବେ ସେମାନଙ୍କ ହାତରେ ପଡୁଛି ହାତକଡ଼ି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Officers Shocked after seeing interior of Government Engineer's home | Argus News