Videos
|
Odisha

ମାଳ ମାଳ ପ୍ଲଟ୍, ବିଡା ବିଡା ଟଙ୍କା, DFOଙ୍କ ସମ୍ପତ୍ତି ଶୁଣିଲେ ହୋସ୍ ଉଡିଯିବ

Smruti Parija
Browse all articles by Smruti Parija
·1 year ago·3 min read
ମାଳ ମାଳ ପ୍ଲଟ୍, ବିଡା ବିଡା ଟଙ୍କା, DFOଙ୍କ ସମ୍ପତ୍ତି ଶୁଣିଲେ ହୋସ୍ ଉଡିଯିବ

Key Points

ସରକାରୀ ବାବୁ ନା ଜମି ବେପାରୀ

ମାଳ ମାଳ ପ୍ଲଟ୍, ବିଡା ବିଡା ଟଙ୍କା

ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍

ଶେଷରେ ବନ୍ଧା ହେଲେ ଡିଏଫଓ ନିତ୍ୟାନନ୍ଦ ନାୟକ

ପାଠ ପଢି ସରକାରୀ ଚାକିରି କରିଥିଲେ । ତାହା ବି ଅଫିସର ଚାକିରି । ହେଲେ ଚାକିରି କାଳରେ ଏତେ ଖାଇଲେ ଯେ ଏବେ ତାଙ୍କ ସମ୍ପତ୍ତିକୁ ନେଇ ଚାରିଆଡେ ଚର୍ଚ୍ଚା । ଯେତେ ଖୋଳିଲେ ସେତେ ମିଳୁଛି । ସାଧାରଣ ଲୋକଟିଏ ଖଣ୍ଡେ ଜାଗା କିଣିବାକୁ ହେଲେ ନିଜ ଜୀବନ ଯାକର ସବୁ ଯାକ ଜମା ପୁଞ୍ଚି ସାରିଦିଏ । ହେଲେ ଡିଏଫଓ ନିତ୍ୟାନନ୍ଦ ବାବୁଙ୍କର 115 ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ଘରର ସମସ୍ତଙ୍କ ନାଁରେ ସେ ଜାଗା କିଣିଦେଇଛନ୍ତି । ନିଜ ନାଁରେ ୫୩ଟି ପ୍ଲଟ୍ , ପତ୍ନୀଙ୍କ ନାଁରେ ୪୨ଟି ପ୍ଲଟ୍, ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଆଉ ଝିଅ ନାଁରେ ୪ ପ୍ଲଟ୍‌ । ଗାଡି, ସୁନା କେଉଁଥିରେ ଅଭାବ ନାହିଁ ।



ଏ ତ ଗଲା ପ୍ଲଟ୍ କଥା । ଅନୁଗୁଳ ଛେଣ୍ଡିପଦାରେ ଥିବା ବାବୁଙ୍କର ଫାର୍ମ ହାଉସ୍ ଦେଖିଲେ ଆଖି ତଟକା ହୋଇଯିବ । ଆପଣଙ୍କ ଆଖି ଯେ ପର୍ଯ୍ୟନ୍ତ ପାଉଛି ସେ ଯାଏଁ ସବୁ ଡିଏଫଓଙ୍କ ଜାଗା । ଯେଉଁଠି ରହିଛି ଆମ୍ବ ବାଗେନା, କଦଳୀ ଗଛ , ନଡିଆ ଗଛ..ପୋଖରୀ...314 ସ୍କୋୟାର ଫୁଟର ଏ ଘର,1432 ସ୍କୋୟାର ଫୁଟର ଆଉଟ ହାଉସ ।


ଏବେ ପର୍ଯ୍ୟନ୍ତ ଘରୁ କେବଳ କ୍ୟାସ୍ ଜବତ ହେଲାଣି ୧୦ ଲକ୍ଷରୁ ଊର୍ଦ୍ଧ୍ୱ । ଗତ ତିନି ଦିନ ଧରି ରେଡ୍ ଚାଲିଥିବାବେଳେ ଯେତେ ଖୋଜିଲେ ବାହାରୁଛି ପୋତା ଧନ । ଖାଲି କ୍ୟାସ୍ କାହିଁକି ଆଲିସାନ ବଙ୍ଗଳା ଭିତରେ ବ୍ୟବହାର ସାମଗ୍ରୀ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଦାମି କାଠରେ ତିଆରି ଘରର ଇଣ୍ଟେରିୟର । ଆଖି ଖୋସି ହେଇଯିବ । ଆକାଉଣ୍ଟରେ ୩୭ ରୁ ୩୮ ଲକ୍ଷ ଟଙ୍କା ଜମା । ଏକାଧିକ ପାସବୁକ କାଗଜପତ୍ର । ବହୁତଳ ଅଟ୍ଟାଳିକା । ପୁଣି ପିସ୍ତଲ, ଧାରୁଆ ଅସ୍ତ୍ର ଜବତ କରିଛି ଭିଜିଲାନ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆୟ ବହିର୍ଭୁତ ସଂପର୍ତ୍ତି ଠୁଳ ନେଇ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓଙ୍କ ବିରୋଧରେ ଅଭିଯୋଗ ଥିଲା । କେନ୍ଦୁଝର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କଠାରୁ ସର୍ଚ୍ଚ ୱାରେଣ୍ଟ ପାଇବା ପରେ ରେଡ୍ କରିଥିଲା । ଦୀର୍ଘ ତିନି ଦିନ ଧରି ଚାଲିଲା ରେଡ୍ । ଭିଜିଲାନ୍ସର ଏକାଧିକ ଟିମ୍ କେନ୍ଦୁଝରସ୍ଥିତ କାର୍ଯ୍ୟାଳୟ, ବାସଭବନ, ନୟାଗଡ, ଓ ଅନୁଗୁଳ ଜିଲ୍ଲାର 7ଟି ସ୍ଥାନରେ ଚଢାଉ କଲେ । ପୈତୃକ ଘର, ଶ୍ୱଶୁର ଘର ସବୁଠି ରେଡ୍ ହେବା ପରେ ଶେଷରେ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ବାନ୍ଧିଛି ଭିଜିଲାନ୍ସ ।


ଡିଏଫ ନିତ୍ୟାନନ୍ଦ ନାୟକ ୧୯୯୨ ମସିହାରେ ବନ ସଂରକ୍ଷକ ଭାବରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଏସିଏଫ୍, ଡେପୁଟି ଫରେଷ୍ଟ କନଜରଭେଟର (ଡିସିଏଫ୍) ଏବଂ ଡିଏଫଓ ସମେତ ବିଭିନ୍ନ ପଦବୀରେ ସେ କାର୍ଯ୍ୟ କରିଛନ୍ତି । ତାଙ୍କର ପୂର୍ବ ପୋଷ୍ଟିଂ ଭୁବନେଶ୍ୱରର ପିସିସିଏଫ୍ (ବନ୍ୟପ୍ରାଣୀ) ମୁଖ୍ୟାଳୟରେ ଥିଲା । ଯେଉଁଠାରେ ସେ ସେପ୍ଟେମ୍ବର ୨୦୨୨ ରୁ ଡିସିଏଫ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୨୪ ମସିହାରେ ପଦୋନ୍ନତି ପରେ କେଉଁଝର କେଏଲ ଡିଭିଜନରେ ଡିଏଫଓ ଭାବରେ ଯୋଗ ଦେଇଥିଲେ। କୁହାଯାଉଛି ୧୯୯୨ ରୁ ୨୦୨୪ ମଧ୍ୟରେ ସେ ସମସ୍ତ ପ୍ଲଟ୍ କିଣିଛନ୍ତି । ଏହି ପ୍ଲଟ୍‌ଗୁଡ଼ିକର ପଞ୍ଜିକୃତ ବିକ୍ରୟ ଡିଡ୍ ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା । ତଥାପି, ଏହି ଜମିର ପ୍ରକୃତ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ୱ ହେବା ଆକଳନ କରାଯାଉଛି ।


ତେବେ ସରକାରୀ ଚାକିରି ତାହା ବି ଅଫିସର ଚାକିରିଟିଏ କରିବା ଅଧିକାଂଶ ଲୋକଙ୍କ ସ୍ୱପ୍ନ । ସମାଜରେ ସେମାନଙ୍କର ସମ୍ମାନ ମଧ୍ୟ ବହୁତ । ତାଙ୍କ ଆଗରେ କଥା ପଦେ କହିବାକୁ ଦୁଇ ଥର ଚିନ୍ତା କରନ୍ତି ଲୋକେ । ଚାକିରି କରିବା ପୂର୍ବରୁ ଲୋକଙ୍କ ପାଇଁ ଅନେକ କାମ କରିବା କଥା କହିଥାନ୍ତି ଏହି ବାବୁମାନେ । ହେଲେ ଚାକିରି ପାଇବା ପରେ ବୋଧେ ସେ ସବୁ ଭୁଲି ଯାଆନ୍ତି । ସମାଜ କଥା ଛାଡି କେବଳ ନିଜ କଥା ଚିନ୍ତା କରନ୍ତି । ନହେଲେ ବାରମ୍ବାର ଏମିତି ଦୃଶ୍ୟ ଦେଖିବାକୁ ମିଳନ୍ତାନି । ତେବେ ଏଠି ପ୍ରଶ୍ନ ସରକାରୀ ବାବୁମାନଙ୍କର ଏ ଲାଞ୍ଚଖିଆ ପ୍ରକୃତି କେବେ କମିବ ? ଏ ଲାଞ୍ଚ ଖିଆ ବାବୁମାନେ ସୁସମାଜ ଗଢିବେ କ'ଣ ? ନିଜେ ହିଁ ସମାଜ ନଷ୍ଟ କରିବାର ଗୋଟିଏ ଗୋଟିଏ ପୁରୋଧା ସାଜିଛନ୍ତି କହିଲେ ଭୂଲ୍ ହେବନି ।

vigilance-surprised-after-seeing-huge-assets-dfo-nityanand-nayak-finally-arrested | Argus News