ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

Key Points
- ମିଛ ବିକାଶର ମୁକ ସାକ୍ଷୀ ସମରଚଚରା
- ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ
- ଦିଗହରା ବିକାଶକୁ ଅପେକ୍ଷା କରିଛି ସମରଚଚରା
ଅର୍ଗସ ବ୍ୟୁରୋ: ଝରିଗାଁଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ସମରଚଚରା ଗାଁ । ଗାଁ ମୁଣ୍ଡରୁ ହିଁ ମୁହଁ ମାଡି ପଡିଯାଇଛି ବିକାଶ । ଗାଁକୁ ରାସ୍ତାଟିଏ ଲାଗି ଗାଁ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ସରକାରର ବଧିରା କାନକୁ ଶୁଣାଗଲା ନାହିଁ । ହେଲେ ଦଳୀୟ ସ୍ବାର୍ଥ ହାସଲ ପାଇଁ ରାସ୍ତାରେ ବାରମ୍ବାର ମାଟି ପକେଇ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରି ଆତ୍ମସାତ କରି ଚାଲିଥିବା ବେଳେ ଶେଷରେ ସାମାନ୍ୟ ବୋର୍ଡଟା ମଧ୍ୟ ଲାଜରେ ମୁହଁ ମାଡି ଓଲଟି ପଡ଼ିଛି । ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟ ସଡ଼କଠାରୁ ଗୋଟେ କିଲୋମିଟର ଅବଡ଼ାଖବଡ଼ା ମାଟି ରାସ୍ତା । ବର୍ଷା ଦିନର କଥା ତେଣିକି ଥାଉ ଶୁଖିଲା ରାସ୍ତାରେ ମଧ୍ୟ ଗାଡିଟିଏ ଧରି ଯିବା କଷ୍ଟ ସାଧ୍ୟ ।
ଏ ଗାଁକୁ କେଉଁ କାଳରୁ ପାଣି ସମସ୍ୟା ଲାଗି ରହିଥିବା ବେଳେ ଏମାନଙ୍କ ପାଇଁ ତତ୍କାଳୀନ ସରକାରଙ୍କ ବସୁଧା ସର୍ଭେ ଗାଁ ଲୋକଙ୍କୁ କେବଳ ପରିହାସ ଛଡା ଆଉ କିଛି ନୁହେଁ । ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ । ବେଳେ ବେଳେ ପାଣି ପାଇଁ ଅପେକ୍ଷା କରି କରି ଖାଲି ହାଣ୍ଡି ଧରି ଘରକୁ ଫେରିବାକୁ ପଡେ ଏଠାକାର ମହିଳାଙ୍କୁ । ଖାଲି ଏତିକିରେ ସରୁନି ସମରଚଚରା ଗାଁ ଲୋକଙ୍କ ଦୁଃଖ । ଗାଁର ଅନେକ ଲୋକଙ୍କ ପାଖରେ ନାହିଁ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର । ଗାଁରେ ରହିଛି ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ଅଙ୍ଗନବାଡି କେନ୍ଦ୍ର । ନା ପାଚେରୀ ଅଛି ନା ପିଇବା ପାଇଁ ପାଣିର ସୁବିଧା। ପିଇବା ପାଣିଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ୫ ଶହ ମିଟର ଯାଇ ପାଣି ଆଣିବାକୁ ପଡ଼େ । ବେଳେ ବଳେ ତ ପିଲାଙ୍କୁ ଥାଳି କିମ୍ବା ହାତ ଧୋଇବାକୁ ହେଲେ ଗାଁ ଭିତରେ ଥିବା ନଳକୂପକୁ ଯିବାକୁ ପଡିଥାଏ । ଆଜି ବି ଏ ଗାଁ ସେମିତି ଦୀପ ତଳ ଅନ୍ଧାର ଭଳି ପଡ଼ି ରହିଛି ।
ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ରହି ମଧ୍ୟ ଏହି ଗାଁକୁ ଟିକେ ଆଡ଼ ଆଖିରେ ଚାହିଁଲେ ନାହିଁ ତତ୍କାଳୀନ ସ୍ଥାନୀୟ ବିଧାୟକ କି ସାଂସଦ । ପୂର୍ବ ସରକାରରେ ନହେଲା ନାହିଁ ନୂଆ ସରକାରଙ୍କ ଉପରେ ଅଞ୍ଚଳବାସୀଙ୍କର ରହିଛି ବିଶ୍ବାସ ଓ ଭରସା ।
📱 Get Argus News App
✨