ରାମେୟାପାଟଣା-କତୁରୁ ଗ୍ରାମବାସୀ ମୁହାଁମୁହିଁ

ନୂଆ ମୁହାଁଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ରାମେୟାପାଟଣା-କତୁରୁ ଗ୍ରାମବାସୀ ମୁହାଁମୁହିଁ । ଗୋଟିଏ ପଟେ କୁଳ ବେଉସା ତ ଅନ୍ୟପଟେ ସମୁଦ୍ର ଆଁ'ରୁ ଗ୍ରାମକୁ ସୁରକ୍ଷା ଚିନ୍ତା । ଯାହାକୁ ନେଇ ଆରମ୍ଭ ହୋଇଛି ମୁହାଁମୁହିଁ ପରିସ୍ଥିତି । ରାମେୟାପାଟଣା ଗ୍ରାମ ହେଉଛି ଚନ୍ଦନବାଡ଼ ଗ୍ରାମର ପଡା ଗ୍ରାମ। କିନ୍ତୁ ରାମେୟା ପାଟଣା ଗ୍ରାମବାସୀ କୌଣସି ଆଲୋଚନା ନକରି କତୁରୁ ମୌଜାରେ ଥିବା ସର୍ବ ସାଧାରଣ ଜମିକୁ ଜବରଦଖଲ କରି ବଡନାଳ ସହ ସମୁଦ୍ରକୁ ଏକ ନୂଆ ମୁହାଁଣ ଖୋଲିଦେଲେ । ଯାହା ଫଳରେ କତୁରୁ ଗ୍ରାମର ବିଶେଷ କ୍ଷତି ହେବା ଆଶଙ୍କାରେ କତୁରୁ ଗ୍ରାମବାସୀ ଏକଜୁଟ ହୋଇ ନୂଆଭାବେ ଖୋଲାଯାଇଥିବା ମୁହାଁଣକୁ ପୋତୁ ଥିବା ଦେଖିବାକୁ ମିଳିଛି ।
ଗୋଟିଏ ପଟେ ରାମେୟାପାଟଣା ଗ୍ରାମବାସୀ ଏହି ମୁହାଁଣ ଦେଇ ସମୁଦ୍ରକୁ ଡ଼ଙ୍ଗା ନେବା ଓ ସେଥିରେ ନିଜ ପରିବାର ପ୍ରତିପୋଷଣ କରିବେ ବୋଲି ଆଶା ବାନ୍ଧିଥିବା ବେଳେ କତୁରୁ ଗ୍ରାମର ଜୀବନ ରେଖା ବଡନାଳ ଯେଉଁ ସ୍ଥାନରେ ମାଛ ଧରି ଜୀବିକା ନିର୍ବାହ କରୁଥିଲେ ସେହି ସ୍ଥାନ କୁ ମନଇଚ୍ଛା ମୁହାଣ ଖୋଳି କତୁରୁ ଗ୍ରାମବାସୀ ଙ୍କର ଜୀବିକାର ବାଧା ସୃଷ୍ଟି କରୁଛନ୍ତି । ଗ୍ରାମବାସୀ ନୂଆ ମୁହାଁଣ ନିଜ ଗ୍ରାମ ପାଇଁ ବିପଦ ଆଶଙ୍କାମଣି ତାକୁ ବିରୋଧ କରି ପୋତିଦେଇ ଗ୍ରାମକୁ ସମୁଦ୍ର ଆଁରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗ୍ରାମ ତରଫରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ଯାହା ଫଳରେ ଆଜି ଦୁଇ ଗ୍ରାମ ମୁହାଁମୁହିଁ ପରିସ୍ଥିତିରେ ଅଛି। ତେବେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ଦୁଇ ଗ୍ରାମର ଲୋକେ ମାଡପିଟି ହୋଇ ଅଶାନ୍ତିରେ ରହିବେ।