ଚୂଆ ପାଣି ଭରସାରେ ଗାଁଲୋକେ

ଦାରିଙ୍ଗବାଡି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତର କୁଟୁଲାରି ଗାଁରେ ଜଳ ଦୁର୍ଦ୍ଦଶା । ଗାଁରେ ୩ଟି ନଳକୂଅ ରହିଥିବା ବେଳେ କେଉଁ ନଳକୂଅରୁ ବି ବାହରୁନି ପାଣି । ସେହିଭଳି କୁଟୁଲାରିଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂଅଟିଏ ରହିଛି । ଏହି ନଳକୂଅରୁ ବି ପାଣି ବାହାରୁ ନାହିଁ । ସାଙ୍ଗଡ଼ମା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂଅଟିଏ ରହିଛି । ବହୁ ସମୟ ମାରିବା ପରେ ବଡ଼ କଷ୍ଟରେ କଳଙ୍କି ଯୁକ୍ତ ପାଣି ବାହାରୁଛି । ଫଳରେ ବାଧ୍ୟ ହୋଇ ଚୂଆ ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭୋଜନ ପାଇଁ ବି ଚୁଆ ପାଣି ଭରସା । ଚୁଆ ପାଣିରେ ରନ୍ଧା ହେଉଛି ମଧ୍ୟାହ୍ନ ଭୋଜନ । ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଗାଁଠାରୁ ପ୍ରାୟ ୧ କିମି. ଦୂରରେ ଥିବା ଚୁଆରୁ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଖାଲଢିପ ପାହାଡି ରାସ୍ତା ଦେଇ ଏମିତି ପ୍ରତିଦିନ ଚାଲେ, ପାଣି ପାଇଁ ଏହି ସଂଘର୍ଷ । ଯାହାର ଅନ୍ତ ଯେ କେବେ ତାହାର ଉତ୍ତର ନାହିଁ । ପାନୀୟ ଜଳ ଯୋଗାଣ ପାଇଁ କୁଟୁଲାରିଗାଁବାସୀ ପ୍ରଶାସନଙ୍କୁ ଲିଖିତ ଭାବେ ଜଣାଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମଧ୍ୟ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଏପ୍ରିଲ ମାସ ଶେଷ ଆଡ଼କୁ ଝରଣା ପାଣି ଶୁଖୁଯାଏ । ଏ ବର୍ଷ ମଧ୍ୟ ଶୁଖିଯିବ ବୋଲି ଆଶଙ୍କା କରିଛନ୍ତି ଅଞ୍ଚଳବାସୀ । ସେପଟେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏ ବାବଦରେ ବ୍ଲକ ପ୍ରଶାସନକୁ ସମିତି ବୈଠକରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।
୨୪ ବର୍ଷର ସ୍ଥିର ବିଜେଡି ସରକାର ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ଫେଲ୍ ମାରିଥିବା ବେଳେ ନୂତନ ସରକାର ସମସ୍ୟାର ସମାଧାନ କରିବା ନେଇ ଆଶା ବାନ୍ଧିଛନ୍ତି ଅଞ୍ଚଳବାସୀ ।