ବର୍ଷା ଦିନ ହେଲେ ବନ୍ଦୀ ଜୀବନ ବିତାନ୍ତି ଗ୍ରାମବାସୀ

ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଁ । ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଗୋଡି ମାଟି ଜଙ୍ଗଲ ରାସ୍ତା । ଗ୍ରାମରେ ପାନୀୟ ଜଳର ସୁବିଧା ଥାଇ ମଧ୍ୟ ନଥିବା ସହ ସମାନ । ଆମେ କହୁଛୁ କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦୁରା ବ୍ଲକ କେରମିଟି ପଞ୍ଚାୟତ ପାଣ୍ଡ୍ରିମାଟି ଗ୍ରାମର କଥା । ଏହି ଗ୍ରାମରେ ବିଗତ ବିଜେଡି ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଥିଲା କହିଲେ ଚଳେ । ଗ୍ରାମରେ ପ୍ରାୟ 40 ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଦିନକୁ 20 ରୁ 30 ମିନିଟ ଆସୁଛି ପାଇପ୍ ପାଣି । ଯାହାକି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇ ପାରୁନି । ଗ୍ରାମର 3ଟି ନଳକୂପ ଅଛି କିନ୍ତୁ ସବୁ ଅଚଳ,ପାଣି ନିଅଣ୍ଟ ହେବା ଯୋଗୁଁ ବାଧ୍ୟ ହୋଇ ଗ୍ରାମର ଶେଷ ମୁଣ୍ଡରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି, ଆଉ ସେଥିରୁ ବାହାରୁଛି ଦୂଷିତ ପାଣି । ଗ୍ରାମବାସୀ ଅଭିଯୋଗ, ତତ୍କାଳୀନ ବିଜେଡ଼ି ଶାସନ ସମୟରେ ବାରମ୍ବାର ଅଭିଯୋଗ ଦେବା ପରେ ମିଳୁଥିଲା ତ କେବଳ ମିଛ ପ୍ରତିଶୃତି ।
ପାଣ୍ଡ୍ରିମାଟି ଗାଁକୁ ଯିବାକୁ ହେଲେ କେରମିଟି ମୁଖ୍ୟ ରାସ୍ତାଠାରୁ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଗଲେ ପଡ଼େ ଏହିଁ ଗାଁ । ରାସ୍ତାରେ ପ୍ରତି ପାଦେ ପାଦେ ବିପଦ । ବର୍ଷା ଦିନ ହେଲେ ଏକ ପ୍ରକାର ବନ୍ଦୀ ଜୀବନ ବିତାନ୍ତି ଗ୍ରାମବାସୀ । ଏହି ରାସ୍ତାରେ ଯାନବାହାନ ଚାଲିବା ତ ଦୂରର କଥା ମଣିଷ ଚାଲିବା ବି ସମ୍ଭବ ହୁଏ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ହେଲେ ୨ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ l
ପାନୀୟ ଜଳର ସୁବିଧା ଓ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ବହୁ ବାର ପ୍ରଶାସନ ନିକଟରେ ସମସ୍ୟା ଜଣାଇ ଆସୁଥିଲେ ସୁଦ୍ଧା, ମିଳିଛି ତ କେବଳ ମିଛ ପ୍ରତିଶୃତି । କିନ୍ତୁ ବର୍ତମାନ ରାଜ୍ୟରେ ନୂଆ ସରକାର ଆସିବା ପରେ ପାଣ୍ଡ୍ରିମାଟି ଗ୍ରାମବାସୀ ଆଶା ରଖିଛନ୍ତି ନୂଆ ସରକାର ସେମାନଙ୍କ ସମସ୍ୟା ଶୁଣିବେ ଓ ସମସ୍ୟାର ସମାଧାନ କରିବେ ।