Vani Vihar / ଉତ୍କଳ ବିଶ୍ୱବିଦ୍ୟାଳୟରେ ସୀମା ଟପିଲା ଅଣଛାତ୍ରଙ୍କ ଦୌରାତ୍ମ୍ୟ

Key Points
କୁଳପତି ଓ ସୁପରିଟେଣ୍ଡେଣ୍ଟଙ୍କୁ ଘେରିଲେ ଦୁର୍ବୃତ୍ତ
ହଷ୍ଟେଲ ଭିତରୁ ତାଲା ପକାଇ କଲେ ଗାଳି ଗୁଲଜ, ଢେଲା ପଥର ମାଡ଼
ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ ଆଇନ ଅନୁସାରେ ଦିଆଯିବ ଆକ୍ସନ
ଅଣଛାତ୍ରଙ୍କ କବଜାରେ ରାଜ୍ୟର ସବୁଠାରୁ ବଡ଼ ବିଶ୍ବବିଦ୍ୟାଳୟର ହଷ୍ଟେଲ। ଦୁର୍ବୃତ୍ତଙ୍କ ସାହସ ଏତେ ଯେ ହଷ୍ଟେଲ ଅନୁଧ୍ୟାନରେ ଯାଇଥିବା କୁଳପତି ଓ ସୁପରିଟେଣ୍ଡେଣ୍ଟଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାଁନ୍ତି । ଅଣଛାତ୍ରଙ୍କୁ ବାହାର କରିବାକୁ ଯାଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ନାକେଦମ ହୋଇଥିବା ବେଳେ ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଛି ନିର୍ଦେଶ ।
ଗୋପବନ୍ଧୁ ଛାତ୍ରାବାସରେ ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟ । ସେତିକିବେଳେ ହଷ୍ଟେଲ ଗେଟରେ ପଡ଼ିଥିଲା ତାଲା। ବାହାରେ ଥିଲେ କୁଳପତି ଓ ସୁପରିଟେଣ୍ଡେଣ୍ଟ । ଗେଟ୍ ଭିତରେ ଯେଉଁ ଯୁବକମାନେ ଥିଲେ, ସେମାନେ ବିଶ୍ବବିଦ୍ୟାଳୟ ଛାତ୍ର ନୁହନ୍ତି ବରଂ ଅଣଛାତ୍ର, ଯେଉଁମାନେ ମାସ ମାସ ଧରି ହଷ୍ଟେଲକୁ କବଜା କରି ରଖିଛନ୍ତି। କୁଳପତି ଗେଟ୍ ଖୋଲିବାକୁ କହିବାରୁ ଆରମ୍ଭ କଲେ ଯୁକ୍ତି ତର୍କ।
କଥା ବଢ଼ିଲା, ଗୁଣ୍ଡା ଗର୍ଦ୍ଦିକୁ ଓହ୍ଲାଇ ଆସିଲେ କିଛି ଯୁବକ । ହୋ-ହଲ୍ଲା କଲେ, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ, ଟେକା ପଥର ଫିଙ୍ଗିଲେ । ଛାତ୍ର ରୂପଧାରୀ ଦୁର୍ବୃତ୍ତଙ୍କ କବଳରୁ ଗଣମାଧ୍ୟମ କର୍ମଚାରୀ ବି ବର୍ତ୍ତିଲେନି । ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଡକାଇଲେ କୁଳପତି। ତାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଲା।
ଏବିଭିପି ଅଭିଯୋଗ କରିଛି, ଅଣଛାତ୍ରଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବିଭିନ୍ନ ରାଜନୈତିକ ଛାତ୍ର ସଂଗଠନ। ଯାହା ଫଳରେ ଏମିତି ଯୁବକଙ୍କ ସାହସ ବଢୁଛି। ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ବିଭାଗ ଏଦିଗରେ ତ୍ୱରିତ ପଦକ୍ଷେପ ନେବା ଦରକାର ।
ମଙ୍ଗଳବାର ରାତିର ଘଟଣା ପରେ ବୟାନ ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ । ସେ କହିଛନ୍ତି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି, ନିୟମ ଅନୁସାରେ ହେବ ଆକ୍ସନ । ସେପଟେ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ପୋଲିସ କମିଶନର।
ତେବେ ଅଣଛାତ୍ରଙ୍କ କବଜାରେ ବାଣୀବିହାର, କିଛି ନୂଆ କଥା ନୁହେଁ । କିନ୍ତୁ ଗତ ଅଗଷ୍ଟ ୧୧ ରେ ଘଟିଥିଲା ବଡ଼ ଘଟଣା। ହଷ୍ଟେଲ ଛାତରୁ ପଡ଼ି ଜଣେ ଅଣଛାତ୍ରର ମୃତ୍ୟୁ ହେବା ପରେ ଆକ୍ସନ୍ ମୋଡକୁ ଆସିଲେ ବାଣୀବିହାର ପିଜି ହଷ୍ଟେଲ କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ବିଦା କରିବାକୁ ନୋଟିସ୍ କଲେ । ୧ ଓ ୨ ନଂ ବଏଜ ହଷ୍ଟେଲର ୫୩ଟି ରୁମ୍ ଏବଂ ୩ ନଂ ହଷ୍ଟେଲ ସମ୍ପୂର୍ଣ୍ଣ ଭାବେ ଅଣଛାତ୍ରଙ୍କ କବଜାରେ । ତେଣୁ ୩ ନଂ ହଷ୍ଟେଲରୁ କଟାହେଲା ପାଣି ଓ ବିଦ୍ୟୁତ୍ । ତଥାପି ମାନିଲେନି ଅଣଛାତ୍ର । ହଷ୍ଟେଲ ଛାଡ଼ିବାକୁ ତାଗିଦ କରି ସେପ୍ଟେମ୍ବର ୧ରେ ଆଉ ଥରେ ନୋଟିସ୍ ଜାରି କଲେ ପିଜି ହଷ୍ଟେଲ କର୍ତ୍ତୃପକ୍ଷ। କିନ୍ତୁ କେହି କିଛି ମାନିଲେନି ।
ରାଜଧାନୀର ଛାତି ଉପରେ ଥିବା ରାଜ୍ୟର ସବୁଠାରୁ ବଡ଼ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସକୁ ଅଣଛାତ୍ରଙ୍କ କବଜାରୁ ରକ୍ଷା କରିବା ଜରୁରୀ ହୋଇପଡ଼ିଛି।
📱 Get Argus News App
✨Related Topics
Explore more stories