ନୂଆବର୍ଷରେ ବୁଲନ୍ତୁ ୬୪ ଯୋଗୀନି ମନ୍ଦିର

Key Points
- ନୂଆବର୍ଷରେ ବୁଲନ୍ତୁ ୬୪ ଯୋଗୀନି ମନ୍ଦିର
ଧାର୍ମିକ ଭାବନା ସହ ଦେଖିପାରିବେ କଳା ସଂସ୍କୃତିର ଝଲକ
ଦେଖନ୍ତୁ କେମିତି ଯିବେ ଏହି ମନ୍ଦିର
ଅର୍ଗସ ବ୍ୟୁରୋ : ଏହି ମନ୍ଦିରରେ ପାଦ ଦେଉ ଦେଉ ପାଦ ଶିହରୀ ଉଠେ । କାରଣ ଏହି ମନ୍ଦିରରେ ତନ୍ତ୍ର ବି ସାଧନା କରାଯାଏ, ମନ୍ତ୍ର ବି ପାଠ କରାଯାଏ । ମନ୍ଦିରକୁ ଗଲେ ଆପଣ ଏକ ତନ୍ତ୍ରମନ୍ତ୍ରର ମିଶ୍ରିତ ଭାବନା ଅନୁଭବ କରିବେ ।
ନୂଆବର୍ଷ ପାଇଁ ସମସ୍ତେ ବେଶ ଆନନ୍ଦିତ ଆଉ ପୁଲକିତ । ଅନେକ ସମ୍ଭାବନା ଅନେକ ସ୍ବପ୍ନକୁ ନେଇ ନୂଆବର୍ଷ ୨୦୨୫ ଦୂଆର ବନ୍ଧରେ କବାଟ ଖଟଖଟ କଲାଣି । ନୂଆବର୍ଷକୁ ସ୍ମୃତି ଆଇନାରେ ତାଜା ରଖିବା ପାଇଁ କିଏ କେତେ ପ୍ରକାରର ସେଲିବ୍ରେସନ କରିଥାନ୍ତି । ବିଶେଷ ଭାବେ ନୂଆ ବର୍ଷରେ ସମସ୍ତେ ନୂଆ ନୂଆ ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି । ଓଡିଆଙ୍କ ମନରେ ବିଶ୍ବାସ ଥାଏ, ଯଦି ନୂଆବର୍ଷର ପ୍ରଥମ ଦିନରେ କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଆନ୍ତି, ତେବେ ବର୍ଷସାରା ଏକ ଧାର୍ମିକ ଚିନ୍ତାଧାରା ମନରେ ରହିବା ସହ ବର୍ଷଟି ଭଲରେ କଟିଥାଏ ବୋଲି ବିଶ୍ବାସ ରହିଛି ।
ତେବେ ଅନେକ ଧାର୍ମିକ ଦର୍ଶନୀୟ ସ୍ଥାନ ମଧ୍ୟରେ ଧର୍ମ ତଥା କଳା ସଂସ୍କୃତିରେ ଭରପୁର ଥିବା ମନ୍ଦିରଟି ହେଉଛି ଚଉଷଠୀ ଯୋଗିନୀ ମନ୍ଦିର । ଏହି ମନ୍ଦିର ଖୋର୍ଦ୍ଧା ଏବଂ ବଲାଙ୍ଗୀର ଦୁଇଟି ଜିଲ୍ଲାରେ ରହିଛି । ଯେଉଁଠି ଆପଣ ଧାର୍ମିକ ଭାବନା ସହ ଉଚ୍ଚକୋଟୀର କଳା ଓ ସ୍ଥାପତ୍ୟକୁ ଦେଖିବାକୁ ପାଇବେ ଅତି ନିକଟରୁ । ପୂର୍ବତନ ପାଟଣା ଗଡଜାତ ରାଜ୍ୟ ତଥା ଆଧୁନିକ ବଲାଙ୍ଗୀର ଜିଲ୍ଲା ମାତୃଶକ୍ତି ଉପାସନାର ମହାନ ପରମ୍ପରାକୁ ଦର୍ଶାଇ ଆସୁଛି । ବଲାଙ୍ଗୀର ଠାରୁ ୧୦୪ କିଲୋମିଟରରେ ଥିବା ଯଥା ରାଣୀପୁର, ଝରିଆଲ ପ୍ରାଚୀନ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧି ଲାଭ କରିଛି ।
ଅଷ୍ଟମ ନବମ ଶତାବ୍ଧୀରୁ ଏଥିରେ ତନ୍ତ୍ର ପାଠ କରାଯାଏ ବୋଲି ବିଶ୍ବାସ କରାଯାଏ । ରାଣୀପୁର ଝରିଆଲର ଚଉଷଠି ଯୋଗୀନୀ ମନ୍ଦିର ଭାରତର ଅନ୍ୟ ତିନୋଟି ଯୋଗିନୀ ପୀଠ ପରି ଛାତବିହୀନ ଏବଂ ବୃତ୍ତାକାର । ଏଠାରେ ପୂଜା ପାଆନ୍ତି ୬ ହାତ ବିଶିଷ୍ଟ ଶିବ ଓ କାନ୍ଥ ଖୋଲରେ ରହିଛି ୬୪ ଯୋଗିନୀଙ୍କ ମୂର୍ତ୍ତି ।
ଏହି ପ୍ରାଚୀନ ପର୍ଯ୍ୟଟନ ପୀଠ ହେଉଛି ଶୈବ, ବୈଷ୍ଣବ , ବୌଦ୍ଧ ଓ ତାନ୍ତ୍ରିକ ବିଶ୍ବାସର ସମାହାର ସ୍ଥଳୀ । ଏହି ପୀଠ ମଧ୍ୟ ସୋମତୀର୍ଥ ନାମରେ ପରିଚିତ ।
ଦର୍ଶକ ବନ୍ଧୁ ଯଦି ଆପଣ ଏହି ସୁନ୍ଦର ସ୍ଥାନ ବୁଲିବାକୁ ଚାହୁଁଛନ୍ତି, ତେବେ ଭୁବନେଶ୍ବର ରେଲୱେ ଷ୍ଟେସନରୁ ଟ୍ରେନ ଧରନ୍ତୁ ଏବଂ ପହଞ୍ଚି ଯାଆନ୍ତୁ ବଲାଙ୍ଗୀରର କଣ୍ଟାବାଞ୍ଜୀ ଷ୍ଟେସନରେ । ଆପଣ ବସ୍ରେ ମଧ୍ୟ ଯାଇପାରିବେ । ନହେଲେ କ୍ୟାବ୍ କରି ମଧ୍ୟ ସିଧା ଚଉଷଠୀ ଯୋଗିନୀ ମନ୍ଦିରରେ ପହଞ୍ଚି ପାରିବେ । ଏହି ମନ୍ଦିର ବ୍ୟତୀତ ଆପଣ ସେଠାରେ ସୋମେଶ୍ବର ମନ୍ଦିର ଏବଂ ଇନ୍ଦ୍ରଲାଟ ମନ୍ଦିର ମଧ୍ୟ ବୁଲି ଦେଖିପାରିବେ । ଯାହାକି ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ।