ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲା ପାଣ୍ଡିଆନ ନା !

Key Points
- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ପାଣ୍ଡିଆନ
- ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ ବାଦ ପଡିଲେ ଭି.କେ
- ବିଜେପି କହିଲା ଆଗାମୀ ଦିନରେ ସରକାର ବି ଯିବ
କମିଲା ପାଣ୍ଡିଆନଙ୍କ ପାୱାର । ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି । କଥା ହେଲା, ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କେମିତି କାମ କରିପାରିବେ ? ଗତ ଏପ୍ରିଲ ୪ ତାରିଖରେ ବିଜେପି ପକ୍ଷରୁ ଏନେଇ ଅଭିଯୋଗ ହୋଇଥିଲା । ଆଉ ଏବେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଭି.କେ ପାଣ୍ଡିଆନ । ଦୀର୍ଘବର୍ଷ ହେଲାଣି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରେ କାମ କରୁଥିଲେ । ହେଲେ ଏବେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଛନ୍ତି । ଫାଇଭ-ଟି ଚେୟାରମ୍ୟାନ ବି ଅଛନ୍ତି । ହେଲେ ରାଜନୀତିରେ ଯୋଗ ଦେବା ପରେ କେମିତି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଅଫିସ୍ରେ କାମ କରିବେ ସେନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା । ଏହା ପରେ ପାଣ୍ଡିଆନଙ୍କୁ ହଟାଯାଇଥିବା ବିଜେପି କହିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଉଲ୍ଲଂଘନ କରୁଥିବା BJP ଅଭିଯୋଗ ଆଣିଛି । କେବଳ ସେତିକି ନୁହେଁ ରାଜ୍ୟରେ ୫-ଟି ନାଁରେ ମହାଦୁର୍ନୀତି ହୋଇଛି, ଗଣତନ୍ତ୍ରର ହତ୍ୟା, ଓଡିଆ ସ୍ୱାଭିମାନର ହତ୍ୟା ହୋଇଛି ବୋଲି କହିଛି ବିଜେପି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ପାଣ୍ଡିଆନଙ୍କୁ ନେଇ ଥମୁନି ବିବାଦ । ପୂର୍ବରୁ ସରକାରୀ ଚପ୍ପରରେ ପୂରା ରାଜ୍ୟକୁ ଚକ୍କର କାଟିକାଟି ରାଜସ୍ଵ ନଷ୍ଟ କରିବା ପରି ସାଙ୍ଘାତିକ ଅଭିଯୋଗ ହୋଇଥିଲା । ପରେ ପୁରୀ ପ୍ରକଳ୍ପରେ କୋଟି କୋଟି ଦୁର୍ନୀତି ସହ କାମିଆ ଜାନିଙ୍କୁ ମନ୍ଦିରରେ ପୂରାଇ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ । ଏବେ ପୁଣି ଥରେ ଚାକିରିରେ ନଥିବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରେ ରହି ଯେମିତି ସରକାରୀ ଦସ୍ତାବିଜ୍ରେ ଅଯଥାରେ ମୁଣ୍ଡ ପୂରାଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କମିଶନଙ୍କ ଏମିତି କାମକୁ ନେଇ କିନ୍ତୁ ଚର୍ଚ୍ଚା ଜୋରଦାର ହେଉଛି ।