ନବୀନ ନିବାସ ଛାଡ଼ିବେ ପାଣ୍ଡିଆନ, କିଏ ଖୁସି ତ କିଏ ଗୁମୁରି କାନ୍ଦୁଛି !

ବିଜେଡି ନେତାଏ ବି କହିଲେ ଯେ, ନବୀନ ବାବୁଙ୍କ ସ୍ୱାସ୍ଥ୍ୟର ଦେଖାରଖା କରୁଛନ୍ତି ପାଣ୍ଡିଆନ ସାର୍ । ସରକାର ଯିବାକୁ 10 ମାସ ହେଲାଣି । ଆଉ ସେହି 10 ମାସ ହେଲା ନବୀନ ନିବାସରେ ରାତ୍ରୀ ଯାପନ କରୁଛନ୍ତି ଭୌରବ କାର୍ତ୍ତିକେୟନ । ନବୀନଙ୍କ ପାଖେ ପାଖେ ରହୁଛନ୍ତି, ଦେଖାରଖା କରୁଛନ୍ତି । ହେଲେ ଏହାରି ଭିତରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ୱିସପରସ୍ ଦ୍ୱାରା ପ୍ରକାଶିତ ଏହି ଖବର ବିଜେଡିର ପୁରୁଖାଙ୍କ ଭିତରେ ଉତ୍ସାହ ଭରିଛି । କିଛି ଗୋଡାଣିଆଙ୍କୁ ନିରୁତ୍ସାହିତ କରିଛି । ଖବରଟି ହେଉଛି ନବୀନ ନିବାସ ଛାଡୁଛନ୍ତି ପାଣ୍ଡିଆନ । ଏକ ଅନ୍ତର୍ଜାତୀୟ ସଂସ୍ଥାରେ କରିବେ ଚାକିରୀ ।
2024 ମସିହା, ଫେବୃୟାରୀ ଶେଷ ସପ୍ତାହ । ଓଡ଼ିଶା ଗସ୍ତ କରିଥିଲେ ବିଶ୍ୱର ଟପ୍ ଟେନ ଧନୀ ତାଲିକାରେ ଥିବା ବିଲ ଗେଟ୍ସ । ନବୀନ ନିବାସରେ ପାଣ୍ଡିଆନ ନେଇଥିଲେ ବିଲଗେଟ୍ସଙ୍କ ସାକ୍ଷାତ । ଆଉ ଗଢିଥିଲେ ସଂପର୍କ । ଏବେ ଭାରତୀୟ ପ୍ରଶାସନିକ ସେବା ଛାଡି ନବୀନ ନିବାସରେ ବସିଥିବା ଭୈରବ ବାବୁ ଗେଟ୍ସଙ୍କ ସଂସ୍ଥାରେ କରିବେ ଚାକିରୀ । ସୂଚନା ଅନୁଯାୟୀ କଣ୍ଟ୍ରି ହେଡ୍ ଭାବେ ଜୟନ କରୁଛନ୍ତି । ଆଉ ନିଜକୁ ଶିଷ୍ୟ କହି ନବୀନଙ୍କ କଠୋଉ ପୂଜା କରୁଥିବା ପାଣ୍ଡିଆନ ନବୀନ ନିବାସ ଛାଡୁଛନ୍ତି ।
୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ପ୍ରଥମେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ ।
ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଇଥିଲେ । ସରକାରୀ ଅଫିସର ଥିବାବେଳେ ବିଜେଡି ପାଇଁ କାମ କରି ପ୍ରମୋସନ ପାଇଥିବା ବିରୋଧୀ ଅଭିଯୋଗ କରନ୍ତି । 2014ରେ ବ୍ୟାକ ସାଇଡରେ ରହି ବିଜେଡିକୁ ପରିଚାଳନା କରୁଥିବା ଭୈରବ ବାବୁ, 2019ରେ ଆସ୍ତେ ସାମ୍ନାକୁ ଆସିଲେ । ଆଉ 2024ରେ ପୁରା ଫ୍ରଣ୍ଟକୁ ।
ପଲିସଭାରୁ ବିଧାନସଭା ସବୁ ତାଙ୍କରି ଇସାରାରେ । ବିଜେଡି ହାରିବାରୁ ଦଳ ଛାଡିଥିଲେ, ରାଜନୀତିରୁ ସନ୍ୟାସ ନେଇଥିଲେ । କିନ୍ତୁ ଏବେବି ବିଜେଡିକୁ ଭିତିରିଆ ପରିଚାଳନା କରୁଥିଲେ । କିଛି ପୁରୁଖା ପାଣ୍ଡିଆନଙ୍କ ଯୋଗୁଁ ଅସନ୍ତୁଷ୍ଟ ଥିଲେ । ବଦ୍ରିଙ୍କ ଠୁ ଅଶୋକଙ୍କ ଯାଏଁ ସମୟ ପାଇଲେ ପିନ୍ ମାରୁଥିଲେ । କୁହାଯାଉଛି ବିଜେଡିର କିଛି ଖାସ ନେତାଙ୍କୁ ପାଣ୍ଡିଆନ ଏ ବିଷୟରେ ସୂଚନା ବି ଦେଇଛନ୍ତି । ପୁରୁଖା ସିନା ଭିତିରିଆ ଖୁସି ହେଉଛନ୍ତି, ହେଲେ ଅନେକ ଗୋଡାଣିଆ ଗୁମୁରି କାନ୍ଦୁଛନ୍ତି ।