|
logo
Live

Argus News - ପାଣ୍ଡିଆନଙ୍କୁ ଆଉ ତ୍ରାହି ନାହିଁ : ମନ୍ତ୍ରୀ କହିଲେ, ଆକ୍ସନ ନିଶ୍ଚିତ

Odisha

ପାଣ୍ଡିଆନଙ୍କୁ ଆଉ ତ୍ରାହି ନାହିଁ : ମନ୍ତ୍ରୀ କହିଲେ, ଆକ୍ସନ ନିଶ୍ଚିତ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଣ୍ଡିଆନଙ୍କୁ ଆଉ ତ୍ରାହି ନାହିଁ :  ମନ୍ତ୍ରୀ କହିଲେ, ଆକ୍ସନ ନିଶ୍ଚିତ

Key Points

  • ପାଣ୍ଡିଆନଙ୍କୁ ଆଉ ତ୍ରାହି ନାହିଁ
  • ହେଲିକପ୍ଟର ନେଇପାରେ ହାଜତ
  • ପୂର୍ତ୍ତ ମନ୍ତ୍ରୀ କହିଲେ, ତଦନ୍ତ ନିଶ୍ଚିତ

ଅର୍ଗସ ବ୍ୟୁରୋ : ପାଣ୍ଡିଆନଙ୍କୁ ନେଇ ବିବାଦ ବଢୁଛି । କାରଣ ଫାଇଭ-ଟି ସଚିବ ଥିବା ବେଳେ ଘିରିଘିରି ହୋଇ ଯେଉଁପରି ଭାବରେ ହେଲିକପ୍ଟରରେ ବୁଲିଲେ ତାହାକୁ ନେଇ ଏବେ ସେ ଫଶିବେ । କାରଣ ସଂପୂର୍ଣ୍ଣ ଭାବରେ ବେଆଇନ ଭାବରେ ଜିଲ୍ଲାୱାରୀ ଗସ୍ତ କରୁଥିଲେ ବାବୁ । ଖାସ୍‌ କରି ୨୦୨୪ ନିର୍ବାଚନ ବେଳେ ଓ ତା' ପୂର୍ବରୁ ପୂର୍ବତନ ବିଜେଡି ନେତା ଭି.କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନମୋଡକୁ ଆସିଛନ୍ତି । ଯେହେତୁ ସରକାରୀ ଟଙ୍କାରେ ବାବୁ ବୁଲୁଥିଲେ ତେଣୁ ଏବେ କାର୍ଯ୍ୟାନୁଷ୍ଠାନ ହୋଇପାରେ । 

ଗତକାଲିଠୁ ପାଣ୍ଡିଆନଙ୍କ ଗସ୍ତକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ଜୋର । ଆଉ ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ବୟାନ । ମନ୍ତ୍ରୀ କହିଛନ୍ତି, ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା ?  ସେନେଇ ସ୍ପଷ୍ଟତା ଆସିବା ଦରକାର । ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି । ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି ।  ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । କିଏ ନିର୍ଦେଶ ଦେଇଥିଲା ଏବଂ କେମିତି ନିର୍ଦେଶ ଦେଇଥିଲା ? ଖାଲି ଏତିକି ନୁହେଁ ବରଂ ମନ୍ତ୍ରୀ କହିଛନ୍ତି, ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରାବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ ? ହେଲିକପଟର ଅବତରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ ।

ମୋଟ୍‌ ଉପରେ, ସରକାର ଗଲା, କ୍ଷମତା ବି ଗଲା । ହେଲେ ବି ବିଜେଡି ଓ ପାଣ୍ଡିଆନଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ୨୪ ନିର୍ବାଚନ ବେଳେ ଓ ତା'ପୂର୍ବରୁ ରାଜ୍ୟର ୩୧୪ ବ୍ଲକ୍‌ ବୁଲିବୁଲି ଭି.କେ ପାଣ୍ଡିଆନଙ୍କ ଯେଉଁ ରାଜସ୍ଵ ଲୋକସାଣୀ କରିଛନ୍ତି ତାହାର ଖର୍ଚ୍ଚ କେତେ ? ତଥ୍ୟ ମାଗି ମାଗି ଆରଟିଆଇ କର୍ମୀ ହାଲିଆ ହେଲେଣି କିନ୍ତୁ ହିସାବ ମିଳୁନି । ଆଉ ତା’ଭିତରେ ଗତକାଲି ପରିବହନମନ୍ତ୍ରୀ ବିଭୂତି ଜେନା ଏକ ବଡ଼ ବୟାନ ଦେଇ କହିଥିଲେ- ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ତଦନ୍ତ କରୁଛନ୍ତି, ନିଶ୍ଚେ କାର୍ଯ୍ୟାନୁଷ୍ଠାନ ହେବ । ତେଣୁ ବାବୁଙ୍କ ହେଲିକପ୍ଚର ଖର୍ଚ୍ଚ କେତେ ତାହା ଜାଣିବାକୁ ଚାତକ ପରି ଚାହିଁ ରହିଛନ୍ତି ରାଜ୍ୟବାସୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେଲିକପ୍ଟରରେ ଘିରିଘିରି ହୋଇ ଘୁରୂଥିଲେ, ହେଲେ ଖର୍ଚ୍ଚ କେତେ ହେଲା ସେନେଇ ତଥ୍ୟ ଦେଇନାହାନ୍ତି ପାଣ୍ଡିଆନ  ? ଫେବ୍ରୁଆରୀ ୨୦୨୦ରୁ ଡିସେମ୍ବର ୨୦୨୩ କେତେବେଳେ ଫାଇଭ୍-ଟି ସଚିବ ତ କେତେବେଳେ ଫାଇଭ-ଟି ଅଧ୍ୟକ୍ଷ ନାଁରେ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ ନାଁରେ ପାଣ୍ଡିଆନ୍‌ଙ୍କ ହେଲିକପଟରର ବୁଲା ଖର୍ଚ୍ଚ ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାର ଜନତା ଆଉ ତଥ୍ୟ ଖୋଜୁଛନ୍ତି ନୂଆ ବିଜେପି ସରକାର । କାରଣ ପୂର୍ବତନ ବିଜେଡି ନେତା ସୌମ୍ୟ ପଟ୍ଟନାୟକ କହିଥିଲେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତରେ ଯେତିକି ଖର୍ଚ୍ଚ ହୋଇଛି ଚନ୍ଦ୍ରୟାନ-୩ରେ ବି ସେତିକି ଖର୍ଚ୍ଚ ହୋଇନଥିଲା । ଅବଶ୍ୟ ଏହା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା ହେଲେ ତାଙ୍କ କଥା ଚର୍ଚ୍ଚାକୁ କିନ୍ତୁ ଖୋରାକ ଯୋଗାଇଥିଲା । ଆଉ ଏବେ ପୂର୍ତ୍ତ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଇସାରା ଦେଇଥିବାରୁ ଚର୍ଚ୍ଚା ଆହୁରି ବଢିଲାଣି ।
 

Sponsored
ପାଣ୍ଡିଆନଙ୍କୁ ଆଉ ତ୍ରାହି ନାହିଁ : ମନ୍ତ୍ରୀ କହିଲେ, ଆକ୍ସନ ନିଶ୍ଚିତ | Argus News