ଘରେ ସମସ୍ତେ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା କାନ୍ଥ; ନାବାଳକ ମୃତ, ମାଆପୁଅ ଗୁରୁତର

Key Points
ରାତି ପ୍ରାୟ ୨ଟାରେ କେହି କିଛି ଜାଣିବା ପୂର୍ବରୁ ସେମାନଙ୍କ ଉପରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଆଖି ଖୋଲିବା ବେଳକୁ ମାଆଛୁଆଙ୍କ ଉପରେ ଖାଲି ମାଟି ଆଉ ମାଟି ।
ଘସିପୁରା: ବିଳମ୍ବିତ ରାତିରେ ଅଘଟଣ । ଦୁଇ ପୁଅଙ୍କୁ ଧରି ମାଆ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଝୁମ୍ପୁଡ଼ି ଘରର ମାଟି କାନ୍ଥ । କାନ୍ଥ ଭୁଶୁଡ଼ି ପଡ଼ିବାରୁ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ସାନ ପୁଅ ଗୁରୁତର ଆହତ ହୋଇଛନ୍ତି । ମାଆ ଓ ସାନ ପୁଅର ଗୋଡ଼ ଭାଙ୍ଗି ଯାଇଛି । ଏଭିଳି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତର କୋହ୍ଲାବେଡ଼ା ଗାଁରେ ।
ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଛି । ଗାଁର ଅଞ୍ଜନା ଜେନା ୨ ପୁଅଙ୍କ ସହ ଘରେ ଶୋଇଥିଲେ । ସ୍ଵାମୀ ରାତିରେ କାମକୁ ଯାଇଥିବା ବେଳେ ଭୁଶୁଡ଼ି ପଡ଼ିଥିଲା କାନ୍ଥ । ଚିତ୍କାର ଶୁଣି ସାହି ପଡ଼ିଶା ସମସ୍ତଙ୍କୁ ଉଦ୍ଧାର କରି କେଶଦୁରାପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁତର ମାଆ ଓ ସାନ ପୁଅକୁ ସ୍ଥାନାନ୍ତର କରାଯାଇଛି ।
କିଛିଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଦୁର୍ବଳ ହୋଇ ପଡ଼ିଥିଲା କଚ୍ଚା ଘରର ମାଟି କାନ୍ଥଟି । ଆଉ ଶୁକ୍ରବାର ରାତିରେ ଅଞ୍ଜନା ୨ ପୁଅଙ୍କୁ ନେଇ ଶୋଇଥିବା ବେଳେ ରାତି ପ୍ରାୟ ୨ଟାରେ କେହି କିଛି ଜାଣିବା ପୂର୍ବରୁ ସେମାନଙ୍କ ଉପରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଆଖି ଖୋଲିବା ବେଳକୁ ମାଆଛୁଆଙ୍କ ଉପରେ ଖାଲି ମାଟି ଆଉ ମାଟି ।