ଥମୁନି ଓ୍ୱାକଫ୍ ଝଡ଼ ! ସରୁନି ନେତାଙ୍କ କଳି, ମୁଣ୍ଡରେ ହାତ ଦେଲେଣି କର୍ମୀ

ବିଜେଡିରେ ଥମୁନି ୱାକଫ୍ ଝଡ଼ । ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ନେତା । ଏବେ ବରିଷ୍ଠ ନେତା ପ୍ରଭାତ ତ୍ରିପାଠିଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସେ ସିଧା ସିଧା କହିଛନ୍ତି ପ୍ରଭାତ ଭାଇ ଦଳରେ ନାହାନ୍ତି । ତେଣୁ ସେ କ'ଣ କହିଲେ ନକହିଲେ ସେଥିରେ କିଛି ଯାଏ ଆସେ ନାହିଁ । ସେ ଦଳର ଆଭ୍ୟନ୍ତରୀଣ କଥା ପାଇଁ କାହିଁକି ଏତେ ବ୍ୟସ୍ତ ବୋଲି କହିଛନ୍ତି ଅତନୁ ।
ଖାଲି ସେତିକି ନୁହେଁ ଅତନୁ ଆହୁରି କହିଛନ୍ତି, ୱାକଫ୍ ସମ୍ପର୍କରେ ସାଂସଦ ମୁନ୍ନା ଖାନ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଧର୍ମ ନିରପେକ୍ଷତା ବଜାଏ ରହିଛି । ନବୀନ ପଟ୍ଟନାୟକ ଆମ ନେତା ୨୫ ବର୍ଷରୁ ବିଜେଡିର ନେତୃତ୍ୱ ନେଉଛନ୍ତି । ସେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି । ଆବଶ୍ୟକତା ପଡିଲେ ନିଷ୍ପତ୍ତି ନେବେ ।
ଅନ୍ୟପଟେ ପ୍ରଭାତ ତ୍ରିପାଠୀଙ୍କ କଥାରେ ସେ କହିଛନ୍ତି, ପ୍ରଭାତ ଭାଇ ତ ଆଉ ବିଜେଡିରେ ନାହାନ୍ତି । ସେ ନିଜେ ଏହା ସ୍ୱୀକାର କରିଛନ୍ତି । ସେ ବିଜେଡିର ଆଭ୍ୟନ୍ତରୀଣ କଥା ପାଇଁ ଏତେ ବ୍ୟସ୍ତ କାହିଁକି । ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି । କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ । ଦଳ ବାହରେ କିଏ କଣ କହିଲେ ସମ୍ପର୍କ କଣ । କାହାକୁ କଣ ଆକ୍ଷେପ କଲେ ଅଲଗା କଥା ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ ।
ତେବେ ୱାକଫକୁ ନେଇ ଏବେ ଫାଳ ଫାଳ ବିଜେଡି । ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି ଚାଲିଛି । ପଟିଆ ସ୍ଥିତ ଏକ ହୋଟେଲରେ ବରିଷ୍ଠମାନେ କରିଥିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ନେତାଙ୍କ ସହ ସାମିଲ ହୋଇଥିଲେ ଯୁବ ବିଜେଡି ନେତା । ସେଥିରେ ପ୍ରସନ୍ନ ଆଚାର୍ଯ୍ୟ, ଭପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରି ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା ମଧ୍ୟ ସାମିଲ ଥିଲେ ।
ସେହିଭଳି କିଛି ନୂଆ ଆମଦାନୀ ନେତାଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଓଡ଼ିଆ ଅସ୍ମିତା ପାଇଁ ବିଜେଡିର ପରାଜୟ ହୋଇଛି । ଏବେର କିଛି ନେତା ଓ ନେତ୍ରୀ ନବୀନ ବାବୁଙ୍କ ଆଦର୍ଶ ସହ ଅପରିଚିତ । ସେମାନେ ଆଉ କାହା ଈଶାରାରେ ପରିଚାଳିତ । ଏବେର କିଛି ନେତା ଓ ନେତ୍ରୀମାନେ ନବୀନବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସହ ଅପରିଚିତ।
📱 Get Argus News App
✨ତେବେ ନେତାଙ୍କ ଏଭଳି କଳି ଦେଖି କର୍ମୀ ବି ଛାନିଆ । କ'ଣ କରିବେ କ'ଣ କହିବେ, ଲୋକଙ୍କ ପ୍ରଶ୍ନର କି ଉତ୍ତର ଦେବେ । ସେମାନଙ୍କ ପାଖରେ ଆଉ ଭାଷା ନାହିଁ । ଯେଉଁ ଦଳରେ ମୁଖିଆଙ୍କ ବିନା ଇଶାରାରେ ଦିନେ କାନ ଖିଡ଼ି ବାଜୁନଥିଲା, ସେଇ ଦଳରେ ଯେ ଏତେ ଅସନ୍ତୋଷ ଥିଲା ତାକୁ ଦେଖି ଏବେ କର୍ମୀମାନେ ମୁଣ୍ଡରେ ହାତ ଦେଲେଣି ।