ଏବେ ବି ଭଦ୍ରକ, ବାଲେଶ୍ବରର ଅନେକ ଗାଁରେ ପଶିଛି ପାଣି

Key Points
ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟା ଜଳ
ବନ୍ୟା ଉଜାଡ଼ି ଦେଇଛି ବର୍ଷକର ଫସଲ
ନଦୀରେ ପାଣି କମୁଛି ସତ, ହେଲେ ଏବେ ବି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତ । ଆଜି ସକାଳୁ ବନ୍ୟାଜଳ କମି ଯାଇଥିବାରୁ ଲୋକେ ଘରୁ ବାହାରିଛନ୍ତି । ଏବେ ବି ଧୂଷୁରୀ- ହସନାବାଦ ମୁଖ୍ୟ ରାସ୍ତାର ପଞ୍ଚାୟତ ଅଫିସ ନିକଟରେ ୩ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡିଯାଇ ଧାନ ତଳି ଓ ରୁଆ ନଷ୍ଟ କରିଦେଇଛି । ପରିବା ଚାଷ ବି ନଷ୍ଟ ହୋଇଛି । ଗୋରୁ, ଗାଈ ମାନେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଭଦ୍ରକ ଜିଲ୍ଲାପାଳ ବନ୍ୟା ସ୍ଥିତି ଦେଖି ଆଜି ଓ ଆସନ୍ତାକାଲି ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ସୋହଡା ଏବଂ ପ୍ରଧାନୀ ପଞ୍ଚାୟତରେ ଥିବା ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି। ଭଦ୍ରକ ଭଳି ବାଲେଶ୍ବରରେ ବି ସମାନ ସ୍ଥିତି।
ବିପଦ ସଙ୍କେତ ତଳକୁ ଖସିଛି ସୁବର୍ଣ୍ଣରେଖାର ଜଳସ୍ତର । ହେଲେ ବନ୍ୟାପାଣିରେ ଉବୁଟୁବୁ ହେଉଛି ଉତ୍ତର ବାଲେଶ୍ବର । ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟାଜଳ ଦ୍ବାରା ବସ୍ତା ବ୍ଲକର ୮ଟି ପଞ୍ଚାୟତ ଏବଂ ସଦର ବ୍ଲକର ୪୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ବାଲିଆପାଳର ୮ଟି, ଭୋଗରାଇ ବ୍ଲକର ୧୩ ପଞ୍ଚାୟତ ଏବେ ବି ଜଳବନ୍ଦୀ। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୪ଫୁଟ୍ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ବନ୍ୟା ସ୍ଥିତିରେ ସୁଧାର ଆସିଥିଲେ ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚି ପାରିନି ଅତ୍ୟାବଶ୍ୟକୀୟ ସାମଗ୍ରୀ । ବିଶେଷକରି ଗୃହପାଳିତ ପଶୁମାନେ ଏବେ ପର୍ଯ୍ୟନ୍ତ ଭୋକ ଉପାସରେ ରହିଛନ୍ତି । କିଛି ଅଞ୍ଚଳରେ ଚାଷଜମିରେ ପାଣି ମାଡିଯାଇଥିବାରୁ ଧାନଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ସ୍ଥିତି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ମିଳିବ ସହାୟତା । ପାଗ ଅନୁକୂଳ ହେଲେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ । ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ବାଲେଶ୍ବରର ୪ଟି ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି । ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି।