ସୁବର୍ଣ୍ଣରେଖାରେ ପାଣି କମୁଛି ହେଲେ କମୁନି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା

Key Points
ସୁବର୍ଣ୍ଣରେଖାରେ ପାଣି କମିଛି
କିନ୍ତୁ ବଢିଛି ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା
ସବୁଠୁ କ୍ଷତିଗ୍ରସ୍ତ ଭୋଗରାଇ, ବାଲିଆପାଳ
ଭୋଗରାଇ ବ୍ଲକରେ ଏବେବି 19 ପଞ୍ଚାୟତର 30 ଗାଁ ବନ୍ୟା ଜଳ ଘେରରେ
ବନ୍ୟା ପ୍ରପିଡିତଙ୍କ ପାଖରେ ପହଂଚିଲା ଶୁଖିଲା ଖାଦ୍ୟ ଓ ପାନୀୟ ଜଳ
ପ୍ରଶାସନିକ ସ୍ତରରେ କ୍ଷଯକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ
ରାସ୍ତା ଉପରେ ଓ ଗାଁ ଦାଣ୍ଡ ପିଣ୍ଡାରେ ଲହଡ଼ି ଭାଙ୍ଗୁଛି ପାଣି । ଶହ ଶହ ଏକର ପରିବା ଚାଷ ସମେତ ତଳିରୁଆ ଗଜା ଧାନ ନଷ୍ଟ । ପାଣି ପାଇଁ କିଛି ଗାଁରେ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ । ଗାଁରୁ ବଜାରକୁ ଯିବା ଆସିବା ପାଇଁ ଦେଶୀ ଡଙ୍ଗା ପାଲଟିଛି ସାହା । ସୁବର୍ଣ୍ଣରେଖା ନଦୀରୁ ବନ୍ୟା ପାଣି କମିଯାଇଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ବନ୍ୟାରେ ଉତ୍ତର ବାଲେଶ୍ବରରେ ସବୁଠି ବେଶି କ୍ଷତିଗ୍ରସ୍ତ ହୋଇଛି ଭୋଗରାଇ ଓ ବାଲିଆପାଳ। ବାଲିଆପାଳରେ ଗାଁ ରାସ୍ତାରୁ ବନ୍ୟାଜଳ କମି ଯାଇଛି । କିନ୍ତୁ ଚାଷ ଜମି ପାଣିରେ ବୁଡି ରହିଛି। ଭୋରାଇରେ ବ୍ଲକରେ ଏବେ ବି ୧୯ଟି ପଞ୍ଚାୟତର ୩୦ ଗାଁ ବନ୍ୟା ଜଳ ଘେରରେ ରହିଛନ୍ତି।
ବନ୍ୟା ପାଣିରେ ବୁଡି ୧୨ ବର୍ଷ ନାବାଳକର ମୃତ୍ୟୁ । ଏଭଳି ଅଭାବନୀୟ ଘୋଟଣା ଘଟିଛି ଭୋଗରାଇ ବ୍ଳକ୍ ଗବଗାଁ ଗାଁରେ । ମୃତ ନାବାଳକ ହେଲେ ମୁନ୍ନା ଦେଙ୍କ ପୁଅ କାହ୍ନା ଦେ । ରାସ୍ତା ଉପରେ ବନ୍ୟା ପାଣିରେ ବୁଲୁଥିବାବେଳେ ଗୋଡ଼ ଖସି ଯାଇଥିଲା ।
ପ୍ରତିବର୍ଷ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଉତ୍ତର ବାଲେଶ୍ବର ବାସୀଙ୍କ ପାଇଁ କାଳ ହୋଇଛି । ୨୪ ବର୍ଷ ଧରି ପୂର୍ବ ବିଜେଡି ସରକାର ନିକଟରେ ସୁବର୍ଣ୍ଣରେଖା ସଂସ୍କାର ଓ ସୁବର୍ଣ୍ଣରେଖା କେନାଲ ପ୍ରୋଜେକ୍ଟ ପାଇଁ ଦାବି ହୋଇଆସୁଛି। ହେଲେ ଏହା ସମ୍ଭବ ହୋଇନାହିଁ । ଯେଉଁଥିପାଇଁ ଲୋକେ ଦୁର୍ଦ୍ଦଶା ଭୋଗୁଥିବା କହିଛନ୍ତି ।
ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପିଢିତ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଚାଷ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ସେପଟେ ପାଣିପାଗ ବିଭାଗ ଆକଳନ କରିଛି ଆଗାମୀ 5 ଦିନ ଆହୁରି ବର୍ଷା ହେବ । ବିଶେଷ କରି ଆଗାମୀ 24ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା ଓ ଉତ୍ତର ଓଡ଼ିଶାରେ ବର୍ଷ।ର ସମ୍ଭାବନା ରହିଛି । ଝଟକା ପବନ ବୋହିବାର ସମ୍ଭାବନା ମଧ୍ୟ ରହିଛି ।