Water Scarcity: ଏବେଠୁ ତାତିଲାଣି, ପାଣି ଶୁଖିଲାଣି.. ଆଗକୁ କ'ଣ ହାହାକାର..!

ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ । ପାଣି ପାଇଁ ଡହଳ ବିକଳ ଦୁଇ ଶହରୁ ଅଧିକ ପରିବାର । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପାଣ୍ଡିଆ ପଥର ପଞ୍ଚାୟତ ବଜ୍ରକୋଟ ଗାଁରେ ଦେଖା ଦେଇଛି ଭୀଷଣ ପାଣି ସମସ୍ୟା ।
ବହୁ ଦାବି ପରେ ଦୁଇ ବର୍ଷ ତଳେ ପୂର୍ବ ବିଜେଡି ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିଲା ପାଣି ଟାଙ୍କି । ଏଥିସହ ଘରକୁ ଘର ଟ୍ୟାପ୍ ଯୋଗାଇ ଦିଆଯାଇଥିଲା । ହେଲେ ଆଜି ଯାଏଁ ଲୋକଙ୍କୁ ପାଣି ଟୋପାଏ ମିଳିପାରିଲା ନାହିଁ । ଗାଁରେ ଥିବା ନଳକୂପ ଓ କୂଅ ଉପରେ ନିର୍ଭର ଗ୍ରାମବାସୀ ।
ବର୍ଷ ବର୍ଷ ଧରି ଜଳ ସମସ୍ୟାରେ ଯୁଝି ହେଉଥିଲେ ବି ଆଜି ଯାଏଁ ସମାଧାନ ହୋଇପାରିଲା ନାହିଁ । ସେପଟେ ଭଞ୍ଜନଗର ଉପଜିଲ୍ଲାପାଳ ପାଣି ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଫେବୃଆରୀ ମାସରୁ ପାନୀୟ ଜଳ କଷ୍ଟ କଲବଲ କଲାଣି । ଆଗକୁ ଗ୍ରୀଷ୍ମ ଋତୁ.. କ'ଣ ହେବ ଅବସ୍ଥା ତାକୁ ନେଇ ଚିନ୍ତାରେ ଗ୍ରାମବାସୀ ।
ତେବେ ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା ଅନୁଭୂତ ହେଲାଣି । ତିନି ଦିନ ଭିତରେ ତାପମାତ୍ରା ବଢିଲାଣି ୩ ଡିଗ୍ରୀ। ପାରଦ ୩୭ ଡିଗ୍ରୀ ପାର୍ କଲାଣି। ଏବେଠୁ ଏତେ ଗରମ ଯଦି ମେ' ଓ ଜୁନ୍ ମାସରେ ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତା ବଢ଼ିଲାଣି। ଏପଟେ ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାପମାତ୍ରା। ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି। ଗତବର୍ଷ ଫେବୃଆରୀ ୧୩ରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଥିଲା। ଫେବ୍ରୁଆରୀ ୧୦ରେ ୩୪ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୧୧ ସହର ରହିଥିବା ରେକର୍ଡ ହୋଇଛି।
ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶା ଉପୂକଳକୁ ଗୁରୁଚାପ ବଳୟ କବ୍ଜା କରି ରଖିଥିବାରୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନ ଅବରୋଧ ହୋଇଛି। ଏଥିସହ ପଶ୍ଚିମା ଝଡ଼ ପ୍ରଭାବରେ ତାତି ବଢୁଛି। ବର୍ତ୍ତମାନ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ବଢିଛି। ରାତିର ତାପମାତ୍ରା ବି ବୃଦ୍ଧି ପାଇଛି।