ନା ଚାଲୁଛି ବସୁଧା, ନା ଶୋଷ ମେଣ୍ଟାଉଛି ନଳକୂପ

Key Points
ଗ୍ରୀଷ୍ମ ଆରମ୍ଭରୁ ଦୁର୍ଗମରେ ଜଳ ଯନ୍ତ୍ରଣା
ନା ଚାଲୁଛି ବସୁଧା, ନା ଶୋଷ ମେଣ୍ଟାଉଛି ନଳକୂପ
ପାଣି ପାଇଁ ଗରା ମାଠିଆ ଧରି ରାତିରୁ ଧାଡ଼ି ବାନ୍ଧୁଛନ୍ତି ମହିଳା
ନଳକୂପର ମଇଳା ପାଣି ପିଇ ଜୀଵନ ବଞ୍ଚାଉଛନ୍ତି ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ପଞ୍ଚାୟତର ଉପରଚୋବରି ଗାଁରେ ଜଳ ଯନ୍ତ୍ରଣା। ଗାଁର ଦଳିତ ସାହିରେ ୬୮ ପରିବାର ପାଇଁ ଅଛି ମାତ୍ର ଦୁଇଟି ନଳକୂପ। ସେଥିମଧ୍ୟରୁ ଗୋଟିଏ ନଳକୂପ ଖରାପ ଥିବା ବେଳେ ଆଉ ଗୋଟିଏ ନଳକୂପରୁ ବାହାରୁଛି କମ ପାଣି। ସେହିଭଳି ଆଦିବାସୀ ସାହିରେ ୩୦ ପରିବାର ଥିବା ବେଳେ ମାତ୍ର ଗୋଟିଏ ନଳକୂପ ଅଛି। ହେଲେ ସେଥିରୁ ବାହାରୁଛି ମଇଳା ପାଣି। ଏଥିଯୋଗୁ ପାଣି ପାଇଁ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ଏପରିକି ପାଣିର ଅଭାଵ ଯୋଗୁଁ ଲୋକେ ବାଧ୍ୟ ହୋଇ ମଇଳା ପାଣି ମଧ୍ୟ ପିଉଛନ୍ତି।
ଏପଟେ ବସୁଧା ଯୋଜନାରେ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ନିର୍ମାଣ କରାଗଲା। ଲୋକଙ୍କ ଘରକୁ ପାଣି ସଂଯୋଗ କରାଗଲା। ବସୁଧା ନିର୍ମାଣ ହୋଇକି ଦୁଇବର୍ଷ ବିତିଲାଣି ହେଲେ ଗ୍ରାମବାସୀଙ୍କୁ ମିଳୁନି ପାନୀୟ ଜଳ ଟୋପେ। ଘରକୁ ଘର ସଂଯୋଗ ହୋଇଥିବା ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଗଲାଣି। ସେହିଭଳି ସ୍କୁଲରେ ମଧ୍ୟ ସମାନ ଅଵସ୍ଥା। ନଳକୂପ ଖରାପ ଥିବା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ପୋଖରୀ ପାଣି ପିଉଥିବା ଅଭିଯୋଗ ହୋଇଛି ।
ପୂର୍ବ ବିଜେଡି ସରକାର ବସୁଧା ନାମରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି। ହେଲେ ବସୁଧା ଲୋକଙ୍କ କାମରେ ଆସୁନାହିଁ। ବର୍ତ୍ତମାନ ଗ୍ରୀଷ୍ମ ଆରମ୍ଭ ହୋଇନଥିବା ବେଳେ ଏବେଠାରୁ ଜଳ କଷ୍ଟ ଆରମ୍ଭ ହେଲାଣି। ଆଗକୁ ଗାଁରେ ଭୟଙ୍କର ଜଳକଷ୍ଟ ହେବ ବୋଲି ଗ୍ରାମବାସୀ ଆଶଙ୍କା କଲେଣି।