ତଳିଆ ଅଞ୍ଚଳରେ ଜମିଛି ପାଣି, ନଷ୍ଟ ହେଲାଣି ପନିପରିବା ଚାଷ

Key Points
କମୁଛି ସୁବର୍ଣ୍ଣରେଖା ଜଳସ୍ତର, ହେଲେ ସରୁନି ଲୋକଙ୍କ ଦୁର୍ଦ୍ଦଶା
ତଳିଆ ଅଞ୍ଚଳରେ ଜମିଛି ପାଣି, ନଷ୍ଟ ହେଲାଣି ପନିପରିବା ଚାଷ
ସାଳନ୍ଦୀ ନଦୀରୁ ଆସିଥିବା ବନ୍ୟାଜଳରେ ବୁଢିଲା ଚାଷଜମି
ଦାରିଙ୍ଗବାଡିରେ ଧୋଇଗଲା ରାସ୍ତା, ୫ ପଞ୍ଚାୟତବାସୀ ହୀନସ୍ତା
ପାଣିପାଗ ବିଭାଗରେ ଅନୁମାନ, ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା
ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ରାଜଘାଟଠାରେ ସୁବର୍ଣ୍ଣରେଖା ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ବନ୍ୟା ପାଣି କମୁଛି, ଲୋକଙ୍କ ସ୍ଥିତି ଧୀର ଧୀରେ ସୁଧୁରୁଛି। ଗାଁ ଦାଣ୍ଡରେ ମୁଖ୍ୟ ରାସ୍ତାରେ ପାଣି କମିଛି ହେଲେ ତଳିଆ ଅଂଚଳରେ ଅନେକ ପଞ୍ଚାୟତରେ ଏବେବି ପାଣି ଜମି ରହିଛି। ଫଳରେ ଏବେବି ଲୋକେ ଜଳ ବନ୍ଦୀ। ପନିପରିବା ଚାଷ ସବୁ ପାଣିରେ ନଷ୍ଟ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।
ହଦଗଡ଼ ଡ୍ୟାମରୁ ଗେଟ ଖୋଲା ଯିବା ପରେ ସାଳନ୍ଦୀ ନଦୀରେ ଆସିଥିବା ବନ୍ୟା ସ୍ଥିତିରେ ସୁଧାର ଆସିଛି। କିନ୍ତୁ ଭଦ୍ରକ ଓ ତିହିଡି ବ୍ଲକରେ ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଛି। ଫଳରେ ଧାନ ତଳି ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ସେହିପରି ଯେଉଁ ଲୋକମାନଙ୍କର ଘରେ ବନ୍ୟା ପାଣି ପ୍ରବେଶ କରିଥିଲା, ସେମାନଙ୍କୁ ଏବେବି ସେଲଟରରେ ରଖାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ଯେଉଁ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ତାର ମରାମତି ପାଇଁ ସାଳନ୍ଦୀ କେନାଲ ଡିଭିଜନକୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ସନ ରାସ୍ତା। ଫଳରେ ୫ ପଞ୍ଚାୟତ ବାସୀଙ୍କ ସମେତ ସରକାରୀ ବସ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିl ରାସ୍ତା ଧୋଇ ଯିବାରୁ ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଥିବା ବେଳେ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରେ ବାଉଁଶ ଧରି ନଦୀ ପାର ହେବା ମଧ୍ୟ ଦେଖିବାକୁ ମିଳିଛି l
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖାରେ ପାଣି କମିଛି। କେଉଁ ବେସିନରେ ପାଣି ଅଧିକ ନାହିଁ କିମ୍ବା ସତର୍କ ସୂଚନା କେଉଁଠି ନାହିଁ। ଛତିଶଗଡରେ ବର୍ଷା ହେଉଛି। ତେଣୁ ସ୍ୱାଭାବିକ ପ୍ରକ୍ରିୟାରେ ହୀରାକୁଦର ଗେଟ ଖୋଲା ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସେପଟେ ବନ୍ୟାଞ୍ଚଳରେ ପିଲାମାନେ କିଭଳି ପାଠ ପଢ଼ିବେ। କେମିତି ସେମାନଙ୍କ ପାଇଁ ସୁବିଧା ହେଇ ପାରିବ ସେ ନେଇ ସ୍ଥିତି ସମୀକ୍ଷା କରିବେ ଜିଲ୍ଲାପାଳ। ଏସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାରି ଦିନ ଯାଏ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୨୦ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ସେହିପରି ଶନିବାର ପାଇଁ ୧୫ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ ।